ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଲାଗିରହିଥିବା ବିବାଦର ସମାଧାନ ପାଇଁ ୨୦୧୮ ମାର୍ଚ ୧୨ରେ ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ୨୦୨୨ ଡିସେମ୍ବର ୫ ସୁଦ୍ଧା ଟ୍ରିବ୍ୟୁନାଲଙ୍କ ପାଇଁ କେନ୍ଦ୍ର ସରକାର ୯୮୭.୭୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କେନ୍ଦ୍ର ଜଳଶକ୍ତି, ନଦୀବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ୨୦୨୨-୨୩ର ବାର୍ଷିକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
ରିପୋର୍ଟରେ କୁହାଯାଇଛି ଟ୍ରିବ୍ୟୁନାଲଙ୍କ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୩୩୦.୩୦ ଲକ୍ଷ ଟଙ୍କା ବ୍ୟବସ୍ଥା ହୋଇଥିଲା। ଏଥିରୁ ୨୦୨୨ ଏପ୍ରିଲ ପହିଲାରୁ ୨୦୨୨ ଡିସେମ୍ବର ୫ ସୁଦ୍ଧା ୨୩୧.୨୩ ଲକ୍ଷ ଟଙ୍କା ଖର୍ଚ୍ଚହୋଇଛି। ଟ୍ରିବ୍ୟୁନାଲ ଗଠିତ ହେବା ଦିନ ଠାରୁ ଆଜି ସୁଦ୍ଧା ୩୨ଟି ଶୁଣାଣି କରିଛନ୍ତି ଓ ମାମଲାର ବିଚାର ପାଇଁ ୨୦୨୦ ଅଗଷ୍ଟ ୨୯ରେ ୪୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଛନ୍ତି।
ବଂଶଧାରା ଜଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୃଷ୍ଟିହୋଇଥିବା ବିବାଦର ସମାଧାନ ପାଇଁ ୨୦୧୦ ଫେବ୍ରୁଆରି ୨୪ରେ ଗଠିତ ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କୁ ୨୦୨୧ ଜୁନ ୨୧ରେ ରିପୋର୍ଟ ପ୍ରଦାନ କରିସାରିଛନ୍ତି। କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟ ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ହୋଇନାହିଁ। କେନ୍ଦ୍ର ସରକାର ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲକୁ ୨୦୨୨ ମାର୍ଚ ୧୦ରେ ଭଙ୍ଗ କରିଥିଲେ। ବଂଶଧାର ଟ୍ରିବ୍ୟୁନାଲର ସମସ୍ତ ସମ୍ପତ୍ତି ଓ ଦେୟ ରବି ଓ ବ୍ୟାସ ଟ୍ରିବ୍ୟୁନାଲକୁ ସ୍ଥାନାନ୍ତର କରାଯାଇଛି।
ଜାତୀୟ ନଦୀ ସଂରକ୍ଷଣ ଯୋଜନା (ଏନ୍ଆର୍ସିପି)ରେ ଦେଶର ୩୫ଟି ନଦୀରୁ ଓଡ଼ିଶାର ବ୍ରାହ୍ମଣୀ, ମହାନଦୀ ଓ ସୁବର୍ଣ୍ଣରେଖା ସାମିଲ ହୋଇଛି। ପୋଲାଭରମ ପ୍ରକଳ୍ପର ୭୮.୬୪ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ଓ ୨୦୨୨ ନଭେମ୍ବର ସୁଦ୍ଧା ଏହି ପ୍ରକଳ୍ପ ବାବଦରେ ୨୦ ହଜାର ୭୩୬ କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/mahanadi-bkk-750x430-1.jpg)