ଆଖଡା ପରିଷଦ ମୁଖ୍ୟଙ୍କ ମୃତ୍ୟୁ ମାମଲା: ମୃତ୍ୟୁ ପୂର୍ବର ଭିଡିଓ ଜବତ କରିବା ସହ ୩ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ବର: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ତାଙ୍କର ଜଣେ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ତେବେ ମୃତ୍ୟୁ ପୂର୍ବରୁ ମହନ୍ତ ନରେନ୍ଦ୍ର ଗିରି ଏକ ଭିଡିଓ ରେକର୍ଡ କରିଥିଲେ ବୋଲି ତାଙ୍କ ଶିଷ୍ୟ ନିର୍ଭୟ ଦ୍ୱିବେଦୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଭିଡିଓଟି ଏବେ ପୁଲିସ ପାଖରେ ଅଛି ଏବଂ ବିଷୟବସ୍ତୁ ଅନୁସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି। ସୁଇସାଇଡ ନୋଟ ଏବଂ ଭିଡିଓରେ ମହନ୍ତ ସମାନ କଥା କହିଥିବା କହିଛନ୍ତି ନିର୍ଭୟ।

ଗତକାଲି ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝଲନ୍ତା ମୃତଦେହ ମିଳିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ସୁସାଇଡ ନୋଟ ଜବତ କରିଥିଲା । ୭ ପୃଷ୍ଠାର ଏହି ସୁସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି । ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ସେ ଲେଖିଛନ୍ତି । ମୁଁ ସମ୍ମାନର ସହ ବଞ୍ଚିଥିଲି। କିନ୍ତୁ ଏବେ ଅପମାନ ସହ ବଞ୍ଚି ପାରିବି ନାହିଁ। ଏହି କାରଣରୁ ମୁଁ ନିଜ ଜୀବନ ନେଉଛି ବୋଲି ଲେଖିଛନ୍ତି ସଭାପତି ନରେନ୍ଦ୍ର ଗିରି।

ପ୍ରୟାଗରାଜର ନିଜ ମଠର ଯେଉଁ ଘରେ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିଛି, ସେହି ଘର ଚାରିଆଡୁ ବନ୍ଦ ଥିଲା । ମୁଖ୍ୟ ଦ୍ୱାର ବି ବନ୍ଦ ରହିଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି । ସେପଟେ ଆନନ୍ଦ ଗିରି କହିଛନ୍ତି ଯେ, ସେ ସବୁପ୍ରକାରର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଆନନ୍ଦ ଗିରିଙ୍କୁ ପଚରାଉଚରା ପାଇଁ ହରିଦ୍ୱାର ଯାଇଛି ଉତ୍ତରପ୍ରଦେଶ ପୁଲିସ । ସେପଟେ ଆଜି ନରେନ୍ଦ୍ର ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରୟାଗରାଜ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସମ୍ବନ୍ଧିତ ଖବର