ଭୁବନେଶ୍ବର: ଆକ୍ରମଣକାରୀ ଟ୍ରମ୍ପଙ୍କ ମୁଣ୍ଡକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିବା ବେଳେ ଗୁଳିଟି ତାଙ୍କ କାନରେ ଘଷି ହୋଇ ଚାଲି ଯାଇଥିଲା। ନିଶ୍ଚିତ ମୃତ୍ୟୁରୁ ଟ୍ରମ୍ପ ବଞ୍ଚିବା ପରେ ଏହାକୁ ‘ଦୈବିକ ଶକ୍ତିର ହସ୍ତକ୍ଷେପ’ ବୋଲି ଆମେରିକାର ଜଣେ ବ୍ୟକ୍ତି ମ୍ୟାଟ୍ ୱାଲେସ୍ ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଏହି ଦୈବିକ ଶକ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ବୋଲି ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆଉ କୁହାଯାଉଛି ଯେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆଜି ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି।
ମ୍ୟା‌ଟ୍ ୱାଲେସ୍ ଟୁଇଟ୍ କରିବା ପରେ ଏଥିରେ କମେଣ୍ଟ ଦେଇ ଇସ୍କନ କୋଲକାତାର ଉପସଭାପତି ତଥା‌ ପ୍ରବକ୍ତା ରାଧାରମଣ ଦାସ କହିଛନ୍ତି ଯେ ଏହା ନିଶ୍ଚିତ ଭାବେ ଦୈବିକ ଶକ୍ତିର ହସ୍ତକ୍ଷେପ। ଠିକ୍ ୪୮ବର୍ଷ ପୂର୍ବେ ଡୋନାଲ୍ଡ ଟ୍ରମ୍ପ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପର୍ବକୁ ରକ୍ଷା କରିଥିଲେ। ଆଜି ସାରା ବିଶ୍ୱ ଜଗନ୍ନାଥଙ୍କ ରଥଯାତ୍ରା ପର୍ବ ପାଳନ କରୁଥିବା ବେଳେ ଟ୍ରମ୍ପଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ଜଗନ୍ନାଥ ତାଙ୍କୁ ବଞ୍ଚାଇ ଅନୁଗ୍ରହ ଫେରାଇ ଦେଇଛନ୍ତି। ରାଧାରମଣ ଲେଖିଛନ୍ତି ଯେ ଜୁଲାଇ ୧୯୭୬ରେ ଇସ୍କନ ଭକ୍ତମାନଙ୍କ ଦ୍ବାରା ପ୍ରଥମ କରି ନ୍ୟୁୟର୍କ ସହରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପର୍ବର ଆୟୋଜନ କରାଯାଇଥିଲା। ହେଲେ କାଠର ବିରାଟ ରଥ ନିର୍ମାଣ ପାଇଁ ଇସ୍କନ ଶ୍ରଦ୍ଧାଳୁଙ୍କୁ ଏହା ନିକଟରେ ଜାଗା ମିଳିନଥିଲା। ଯେଉଁଠିକୁ ଯାଇଥିଲେ ସେଠାରେ ଜାଗା ମାଲିକମାନେ ରଥ ନିର୍ମାଣ ପାଇଁ ଜାଗା ଦେବାକୁ ମନା କରିଦେଇଥିଲେ। ଶହଶହ ଭକ୍ତ ନିରାଶ ହେବା ସହ ନ୍ୟୁୟର୍କରେ ରଥଯାତ୍ରା ନହୋଇପାରିବାର ଆଶଙ୍କା ଘାରିଥିଲା। ଏହି ସମୟରେ କିଛି ଫାର୍ମ ମାଲିକ କହିଥିଲେ ଯେ ସେମାନେ ପେନସିଲଭାନିଆ ରେଳ ପ୍ରାଙ୍ଗଣରେ ସମ୍ପତ୍ତି ବିକ୍ରି କରୁଛନ୍ତି। ଏହାକୁ ଟ୍ରମ୍ପ କିଣୁଛନ୍ତି।

Advertisment

ଏହାପରେ ଇସ୍କନ ଭକ୍ତମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଥିଲା। ଏଥିପାଇଁ ସେମାନେ ମହାପ୍ରଭୁଙ୍କ ପ୍ରସାଦ ‌ସହ କିପରି ରଥ ନିର୍ମାଣ ହେବ ସେନେଇ ଏକ ଉପସ୍ଥାପନା ପତ୍ର ନେଇ ଟ୍ରମ୍ପଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ଟ୍ରମ୍ପଙ୍କ ସଚିବ କହିଥିଲେ ଯେ ସାର୍ ଏହାକୁ ପସନ୍ଦ କରିବେନି। ଆପଣମାନେ ସିନା ଅନୁରୋଧ କରୁଛନ୍ତି, ‌ସାର୍ ନିଶ୍ଚିତ ମନା କରିବେ। ଏହାପରେ ଶ୍ରଦ୍ଧାଳୁମାନେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ତାଙ୍କ କାର୍ଯ୍ୟାଳୟରେ ପ୍ରସାଦ ରଖି ଚାଲି ଆସିଥିଲେ। କିନ୍ତୁ ମହାପ୍ରଭୁଙ୍କ ଲୀଳା କିଛି ଅଲଗା ଥିଲା। ତିନି ଦିନ ‌ପରେ ଟ୍ରମ୍ପଙ୍କ ସଚିବ ଫୋନ୍ କରି କହିଲେ ଯେ ‘ମୁଁ ଜାଣେ ନାହିଁ କ’ଣ ହେଲା, କିନ୍ତୁ ସେ ତୁମର ଚିଠି ପଢ଼ିବା ପରେ, ତୁମେ ଦେଇଥିବା ପ୍ରସାଦ ପାଇଥିଲେ। ସଙ୍ଗେସଙ୍ଗେ କହିଥିଲେ ଯେ ନିଶ୍ଚିତ ମିଳିବ, କାହିଁକି ନୁହେଁ। ଏହାପରେ ଟ୍ରମ୍ପ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରେଳ ପ୍ରାଙ୍ଗଣକୁ ମାଗଣାରେ ଦେବାକୁ ଅନୁମତି ପତ୍ରରେ ଦସ୍ତଖତ କରିଥିଲେ। ଏହାପରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଆରମ୍ଭ ହୋଇଥିଲା।

ଡୋନାଲ୍ଡ ଟ୍ରମ୍ପ ଇସ୍କନ ଭକ୍ତମାନଙ୍କୁ ରଥଯାତ୍ରା ପାଇଁ ମାଗଣାରେ ରଥ ନିର୍ମାଣ ପାଇଁ ତାଙ୍କ ଟ୍ରେନ୍ ୟାର୍ଡ ଯୋଗାଇ ଦେଇଥିଲେ। ଆଜି ଯେତେବେଳେ ସାରା ବିଶ୍ବ ୯ଦିନର ଜଗନ୍ନାଥ ରଥଯାତ୍ରା ପର୍ବ ପାଳନ କରୁଛି ସେତେବେଳେ ଟ୍ରମ୍ପଙ୍କ ଉପରେ ଗୁଳି ମାଡ଼ ହୋଇଥିଲେ ହେଁ ଗୁଳିଟି ତାଙ୍କର ବିଶେଷ କ୍ଷତି ନକରି ପଳାଇଛି। ଏହାହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତକ୍ଷେପକୁ ଦର୍ଶାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାସହ ସେ ଲେଖିଛନ୍ତି ଯେ ରଥ ନିର୍ମାଣ ଚାଲିଥିବାବେଳେ ସ୍ଥାନୀୟ ପୁଲିସ କହିଥିଲା ଯେ ଆମେ ପୂର୍ବରୁ ସହମତି ଜଣାଇଥିଲେ ବି ଏବେ ରଥଯାତ୍ରା ପାଇଁ ଅନୁମତି ଦେଇପାରିବୁନି। କାରଣ ୫-ଅାଭେନ୍ୟୁରେ କୌଣସି ନୂତନ ଶୋଭାଯାତ୍ରା ପାଇଁ ଅନୁମତି ନଦେବାକୁ ୧୯୬୨ମସିହାରୁ ସ୍ଥାନୀୟ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଇସ୍କନ ଶ୍ରଦ୍ଧାଳୁମାନେ ପୁଲିସ ମୁଖ୍ୟଙ୍କୁ ଭେଟିଥିଲେ। ସେ ଶ୍ରଦ୍ଧାଳୁଙ୍କ ଅନୁରୋଧ ରକ୍ଷା କରି ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ, କିନ୍ତୁ କହିଥିଲେ ଯେ ମୁଁ କାହିଁକି ଅନୁମତି ପତ୍ରରେ ଦସ୍ତଖତ କରୁଛି ଜାଣିନି। ରାଧାରମଣ ଏହିପରି ମହାପ୍ରଭୁଙ୍କ ଲୀଳାକୁ ବର୍ଣ୍ଣନା କରିଥିବାବେଳେ ସାମାଜିକ ଗଣମାଧ୍ୟମରେ ଜନଗନାଥଙ୍କୁ ନେଇ ଟ୍ରେଣ୍ଡ୍ ଆରମ୍ଭ ହୋଇଛି। ବହୁ ବିଦେଶୀ ନାଗରିକ, ଆମେରିକୀୟ ଜୟ ଜଗନ୍ନାଥ ଲେଖି ମହାପ୍ରଭୁଙ୍କ କୃପାକୁ ପ୍ରଶଂସା କରିଛନ୍ତି। ଏହାବାଦ୍ କିଛି ଲୋକ ଦୈବିକ ଶକ୍ତିର ହସ୍ତକ୍ଷେପକୁ ଯୀଶୁ ଖ୍ରୀଷ୍ଟଙ୍କ ଆଶୀର୍ବାଦ ବୋଲି ମଧ୍ୟ କମେଣ୍ଟରେ ଲେଖିଥିବା ଦେଖିବାକୁ ମିଳିଛି।