ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କଲେଜର ବିଦାୟୀକାଳିନ ସମ୍ବର୍ଦ୍ଧନାସଭାରେ ମଞ୍ଚ ଉପରେ ଭାଷଣ ଦେଉଥିବା ସମୟରେ ଜଣେ ଛାତ୍ରୀଙ୍କ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ଘଟଣା ସିନ୍ଦେ କଲେଜ ପରଣ୍ଡାରେ ଘଟିଛି। ୨୦ବର୍ଷୀୟା ଛାତ୍ରୀ ବର୍ଷା ଖରାତ ମଞ୍ଚ ଉପରେ ଛିଡ଼ା ହୋଇ ବିଦାୟୀକାଳିନ ସମ୍ବର୍ଦ୍ଧନାସଭାରେ ଭାଷଣ ଦେବା ଆରମ୍ଭ କରିଥିଲେ। ସେ ହସିହସି ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସଭାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ଭୋଧିତ କରିଥିଲେ। ଏତିକି ବେଳେ ହଠାତ ତାଙ୍କ ମୁହଁ ହଳଦୀବର୍ଣ୍ଣ ହୋଇ ଯାଇଥିଲା। ସେ ଚଟାଣରେ ଅଚେତ ହୋଇ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବର୍ଷାଙ୍କ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅସଫଳ ରହିଥିଲେ।
ତେଣୁ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ପରଣ୍ଡା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ବର୍ଷାଙ୍କ ୮ବର୍ଷ ବୟସରେ ହୃଦୟ ଅସ୍ତ୍ରୋପଚାର ହୋଇଥିଲା। ଗତ ୧୨ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିଲା। ସେ କୌଣସି ପ୍ରକାର ଔଷଧ ସେବନ କରୁ ନଥିଲେ। ଡାକ୍ତରମାନଙ୍କ କହିବାନୁସାରେ, ଭାଷଣ ଦେଉଥିବା ବେଳେ ବର୍ଷା ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କ ବ୍ରେଡ ଡେଡ ହୋଇ ମୃତ୍ୟୁ ହୋଇଯାଇଥିଲା।
ଛାତ୍ରୀ ବର୍ଷାଙ୍କ ଏଭଳି ମୃତ୍ୟୁ ପରେ କଲେଜ ପ୍ରଶାସନ ଶୋକ ବ୍ୟକ୍ତ କରି କଲେଜକୁ ଗୋଟିଏ ଦିନ ପାଇଁ ଛୁଟି ରଖିଥିଲେ।