ମହାରାଷ୍ଟ୍ର: ଥାନେ ଅଞ୍ଚଳ ଘରୋଇ ହସ୍ପିଟାଲ୍‌ରେ ନିଆଁ ଲାଗି ୪ ରୋଗୀ ମୃତ

ଥାନେ: ବୁଧବାର ପ୍ରତ୍ୟୁଷରେ ମହାରାଷ୍ଟ୍ରର ଥାନେ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ଅନ୍ୟୂନ ୪ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ କେତେକ ଆହତ ହୋଇଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ପାହାନ୍ତା ପ୍ରାୟ ୩.୪୦ରେ ଥାନେ ନିକଟ ମୁମ୍ବ୍ରା ଅଞ୍ଚଳ ଅନ୍ତର୍ଗତ କୌସାରେ ଥିବା ‘ପ୍ରାଇମ୍‌ କ୍ରିଟିକାଲ୍‌ ହସ୍ପିଟାଲ୍‌’ରେ ନିଆଁ ଲାଗିଥିଲା। ଘଟଣାସ୍ଥଳକୁ ୩ଟି ଦମକଳ ଯାଇ ନିଆଁ ଲିଭାଇଛନ୍ତି। ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ଲାଗି ୫ଟି ଆମ୍ବୁଲାନ୍‌ସ୍‌ ମଧ୍ୟ ସେଠାକୁ ଯାଇଥିବା କଥା ସରକାରୀ ଅଧିକାରୀଜଣକ କହିଛନ୍ତି।

ଏହି ଡାକ୍ତରଖାନାରେ କୌଣସି କୋଭିଡ୍‌ ଆକ୍ରାନ୍ତ ନ ଥିଲେ। ସେଠାରୁ ଉଦ୍ଧାର କରାଯାଇଥିବା ୨୦ଜଣ ରୋଗୀଙ୍କ ମଧ୍ୟରୁ ୬ଜଣ ଥିଲେ ‘ଆଇସିୟୁ’ରେ। ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତରଖାନାର ପ୍ରଥମ ମହଲାଟି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Image Courtesy of ANI

ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଧାୟକ ଜିତେନ୍ଦ୍ର ଆହ୍ଵାଦ୍‌ କହିଛନ୍ତି ଯେ, ଅଘଟଣ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଅବଗତ କରାଇ ଦିଆଯାଇଛି। ପ୍ରତ୍ୟେକ ମୃତ ରୋଗୀଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ମିଳିବ। ଆହତମାନେ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପାଇବେ।

ଅଗ୍ନିକାଣ୍ଡର କାରଣ ନିର୍ଦ୍ଧାରଣ କରିବା ଲାଗି ସହରର ମୁନିସ୍‌ପାଲିଟି, ପୁଲିସ ଅଧିକାରୀ ଏବଂ ଡାକ୍ତରୀ କର୍ମଚାରୀଙ୍କୁ ମିଶାଇ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଥାନେ ଠାରୁ ୫୦ କିଲୋମିଟର ଦୂର ବିରାର ଅଞ୍ଚଳର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିବାରୁ ‘ଆଇସିୟୁ’ରେ ଥିବା ୧୪ଜଣ କରୋନାଭାଇସ୍‌ ଆକ୍ରାନ୍ତ ରୋଗୀ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର