ମୁମ୍ବାଇ : ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇ ଉପରେ ସବୁବେଳେ ଆତଙ୍କବାଦୀ ସଂଗଠନର ନଜର ରହି ଆସିଛି । ପୂର୍ବରୁ ମୁମ୍ବାଇରେ ଆତଙ୍କବାଦୀମାନେ ଭୟଙ୍କର ବିସ୍ଫୋରଣ କରିଥିବା ବେଳେ ଏବେ ଅଲ୍କାୟଦା ଆତଙ୍କବାଦୀ ସଂଗଠନ ମୁମ୍ବାଇର ଲାଇଫ୍ ଲାଇନ୍ କୁହାଯାଉଥିବା ମୁମ୍ବାଇ ଲୋକାଲକୁ ଉଡାଇବାର ଧମକ ଦେଇଥିବା ଜଣାପଡ଼ିଛି । ଶୁକ୍ରବାର ସକାଳ ସମୟରେ ଏହି ଧମକ ମିଳିବା ପରେ ପୂରା ମୁମ୍ବାଇବାସୀଙ୍କ ମନରେ ଆତଙ୍କ ଖେଳି ଯାଇଛି । ଏହି ସନ୍ଦେଶ ଆତଙ୍କବାଦୀ ସଂଗଠନ ଏକ ମେଲ୍ ପଠାଇ ପୁଲିସକୁ ଜଣାଇଥିବା ବେଳେ ଏ ବିଷୟରେ ଜାଣି ଉଭୟ ପୁଲିସ ଏବଂ ସୁରକ୍ଷା ଏଜେନ୍ସି ସତର୍କ ହୋଇ ଯାଇଛନ୍ତି ।
/sambad/media/post_attachments/wp-content/uploads/2018/06/ATS-300x169.jpg)
ମିଳିଥିବା ସୂଚନା ଅନୁଯାୟୀ, କୁଖ୍ୟାତ ଆତଙ୍କବାଦୀ ଅଲକାଏଦା ସଂଗଠନ ମୁମ୍ବାଇ ଲୋକାଲ ଟ୍ରେନ୍ ଲାଇନ୍ ଉଡ଼ାଇବା ଧମକ ଏକ ମେସେଜ ମାଧ୍ୟମରେ ଦେଇଛି । ଏହି ମେସେଜଟି ପଶ୍ଚିମ ରେଳବାଇ ବିଭାଗକୁ ପଠା ଯାଇଥିବା ଜଣାପଡ଼ିଛି । ଏହି ମେସେଜ ପାଇବା ପରେ ମୁମ୍ବାଇ ଲୋକାଲର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିଛି ସୁରକ୍ଷା ଏଜେନ୍ସି । କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ସନ୍ଦେହ ଆସିଲେ ତାଙ୍କୁ ତୁରନ୍ତ ଗିରଫ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।