ମହାରାଷ୍ଟ୍ରରେ ଚିନ୍ତା ବଢ଼ାଇଲା ଶିବସେନା, ଉଦ୍ଧବଙ୍କ ସହ ଆଲୋଚନା କରିବେ ଅମିତ ଶାହ

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲେ ହେଁ, ଶିବସେନାର ପରିବର୍ତ୍ତିତ ଆଭିମୁଖ୍ୟ ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଶିବସେନା ଦଳର ଯୁବ ଚେହେରା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ୫୦-୫୦ ଫର୍ମୁଲା କଥା କହୁଥିବାବେଳେ ବିଜେପି ‌ଶିବସେନା ମୁଖ୍ୟ ଉଦ୍ଧବ ଠାକରେକୁ ମନେଇବା ପାଇଁ ଉଦ୍ୟମ ଜାରି ରଖିଛି। ଏ ଦିଗରେ ଲାଗି ରହିଥିବା ଅଚଳାବସ୍ଥାର ଅବସାନ ଘଟାଇ ସରକାର ଗଠନ ନିମନ୍ତେ ପଥ ପରିଷ୍କାର କରିବାକୁ ବିଜେପି ସଂସଦୀୟ ବୋର୍ଡ ଦଳ ସଭାପତି ଅମିତ ଶାହଙ୍କୁ ଦାୟିତ୍ବ ଦେଇଛି। ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେଙ୍କ ସହିତ ଶାହ ଖୁବ୍‌ଶୀଘ୍ର ଆଲୋଚନା ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

ଶିବସେନା ଏନ୍‌ସିପି ସହିତ ମଧ୍ୟ ମେଣ୍ଟ କରିପାରେ ବୋଲି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ସଙ୍କେତ ଦେବାପରେ ଦୁଇ ଦଳ ଭିତରେ ବିବାଦ ଆହୁରି ତେଜିବାରେ ଲାଗିଛି। ଅନ୍ୟପକ୍ଷରେ ଶିବସେନା ସହିତ ମେଣ୍ଟ କରି ସରକାର ଗଠନ ପାଇଁ କଂଗ୍ରେସ ମଧ୍ୟ ଲାଳାୟିତ ହୋଇଉଠିଛି। କଂଗ୍ରେସ ରାଜ୍ୟ ସଭାପତି ବାଲାସାହେବ ଥୋରାଟ କହିଛନ୍ତି ସେନା ପକ୍ଷରୁ ଏ ନେଇ ପ୍ରସ୍ତାବ ଆସିବା ମାତ୍ରେ ଆମେ ତତ୍ପରତାର ସହିତ ଆଗକୁ ବଢ଼ିବୁ। କଂଗ୍ରେସ ଏ ନେଇ ଆସନ୍ତାକାଲି ଏକ ଜରୁରୀ ବୈଠକରେ ଆଲୋଚନା କରିବ ବୋଲି ଜଣାପଡ଼ିଛି। ତେବେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଯେ ରାଜ୍ୟବାସୀ ଯେଉଁ ଜନାଦେଶ ଦେଇଛନ୍ତି ସେଥିରେ ଆମକୁ ବିରୋଧୀ ଦଳରେ ହିଁ ରହିବାକୁ ପଡ଼ିବ।

ମହାରାଷ୍ଟ୍ରରେ ମୋଟ ୨୮୮ ଆସନରୁ ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନାକୁ ୫୬ ଆସନ ମିଳିଛି। ଏଥର ବିଜେପି ‌ସେନା ମେଣ୍ଟକୁ ୧୬୧ ଆସନ ପାଇଥିବା ବେଳେ ୨୦୧୪ରେ ଏହି ମେଣ୍ଟ ୧୮୫ ଆସନ ପାଇଥିଲା। ଏଥର ଏନ୍‌ସିପିକୁ ୫୪ ଆସନ ମିଳିଥିବା ବେଳେ କଂଗ୍ରେସକୁ ୪୪ ଆସନ ମିଳିଛି।

ସମ୍ବନ୍ଧିତ ଖବର