ବିଧାୟକ ଦଳ ବୈଠକରେ ଫଡନାଭିସଙ୍କୁ ସମ୍ବର୍ଦ୍ଧନା, ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ବିଜେପିର ଦୃଢ଼ୋକ୍ତି

ମୁମ୍ବାଇ: ମହାରାଷ୍ଟ୍ର ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡ୍‌ନାଭିସଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଫଡନାଭିସଙ୍କୁ ଅଭିନନ୍ଦନ ସହ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା। ମହାରାଷ୍ଟ୍ର ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌, କେନ୍ଦ୍ରମନ୍ତ୍ରୀ ରାଓସାହେବ ଡାନ୍‌ଭେଙ୍କ ସମେତ ରାଜ୍ୟ ବିଜେପିର ସମସ୍ତ ପ୍ରମୁଖ ନେତା ଏହି ଅବସରରେ ଉପସ୍ଥିତ ଥିଲେ। ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ ଏବଂ ଏନ୍‌ସିପି ନେତା ଅଜିତ ପାୱାରଙ୍କ ନେତୃତ୍ବରେ ସରକାର ଗଠନ ହେବା ପରେ ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ଏବଂ ଆମେ ସଂଖ୍ୟା ଗରିଷ୍ଠତା ଅତି ସହଜରେ ପ୍ରମାଣ କରିବୁ ବୋଲି ବିଜେପି ନେତା ଆଶିଷ ସେଲାର ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶିବସେନା ରାଜ୍ୟବାସୀଙ୍କ ମତକୁ ବେଖାତିର କରି କେବଳ ପରିବାରର ସ୍ବାର୍ଥ ପାଇଁ ଏତେ ବଡ଼ ଅନର୍ଥ ସୃଷ୍ଟି କରିଛି ଏବଂ ଏହାକୁ ରାଜ୍ୟବାସୀ କେବେ ବି କ୍ଷମା ଦେବେନାହିଁ ବୋଲି ଆଶିଷ କହିଛନ୍ତି। ମହାରାଷ୍ଟ୍ରର ଭୋଟର୍‌ ମହାମେଣ୍ଟକୁ ସ୍ପଷ୍ଟ ବହୁମତ ଦେଇଥିଲେ ମଧ୍ୟ ଶିବସେନା କେବଳ ସୀମିତ ସ୍ବାର୍ଥ ହାସଲ ପାଇଁ ରାଜ୍ୟର ବୃହତ୍ତର ସ୍ବାର୍ଥକୁ ବିପଦଗ୍ରସ୍ତ କରିଛି ବୋଲି ସେ କହିଛନ୍ତି। ରାଜ୍ୟବାସୀଙ୍କ ମଧ୍ୟରେ ଫଡନାଭିସଙ୍କ ପ୍ରତି ଦୃଢ଼ ଆସ୍ଥା ରହିଛି ଏବଂ ବିଜେପି ଯେ କୌଣସି ସମୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସକ୍ଷମ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର