ମୁମ୍ବାଇ: ରାଜ୍ୟ କିଂବା ଉଚ୍ଚସ୍ତରୀୟ ନ୍ୟାୟପାଳିକାଙ୍କ ଆଗୁଆ ଅନୁମତି ବିନା ‘ସିବିଆଇ’ ମହାରାଷ୍ଟ୍ରରେ କୌଣସି ମାମଲାର ତଦନ୍ତ କରିପାରିବ ନାହିଁ ବୋଲି ବୁଧବାର ଦିନ ଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ମେଣ୍ଟ ସରକାର ଘୋଷଣା କରିଛନ୍ତି।
ଲକ୍ଷ୍ନୌରେ ‘ଟିଆର୍ପି’ ଦୁର୍ନୀତିର ତଦନ୍ତ ଦାୟିତ୍ବ ନେବା ଲାଗି ଉତ୍ତର ପ୍ରଦେଶ ପୁଲିସର ଅନୁରୋଧ ଏବଂ କେନ୍ଦ୍ର ସରକାରଙ୍କ ଆଦେଶ ଗ୍ରହଣ ନିମନ୍ତେ ସିବିଆଇ ତତ୍ପରତା ଦେଖାଇବାର ଦିନକ ପରେ ମହାରାଷ୍ଟ୍ର ସରକାର ‘ସିବିଆଇ’ ନିମନ୍ତେ ଏଭଳି ପ୍ରତିବନ୍ଧକ ଲଗାଇଥିବା କଥା କୁହାଯାଉଛି।
‘ସିବିଆଇ’କୁ ବ୍ଲକ୍ କରିବା ନିମନ୍ତେ ନିଷ୍ପତ୍ତି ନେବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଅଶୋକ ଚୱନ, ମୁଖ୍ୟ ସଚିବ ସଞ୍ଜୟ କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅଜୟ ମେହେଟା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଆଶିଷ କୁମାର ସିଂହ ଯୋଗ ଦେଇଥିଲେ।
Image Courtesy of The Times of Indiaବୈଠକ ପରେ ଅଶୋକ ଚୱନ ଗଣମାଧ୍ୟମକୁ କହିଥିଲେ ଯେ, ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସିବିଆଇକୁ ଦିଆଯାଇଥିବା ସମ୍ମତି ତୁରନ୍ତ ପ୍ରତ୍ୟାହାର କରାଯିବା ଉଚିତ। ‘ଟିଆର୍ପି’ ଦୁର୍ନୀତି ମାମଲାରେ ଚାଲିଥିବା ତଦନ୍ତ ବିଷୟରେ ମଧ୍ୟ ଆମେ ଆଲୋଚନା କରିଛୁ। ସିବିଆଇ ଏହି ତଦନ୍ତ ଦାୟିତ୍ବ ଗ୍ରହଣ କରିବାର ଆଶଙ୍କା ଉପୁଜିବାରୁ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବିନା ଅନୁମତିରେ ନିଜର ଭୌଗୋଳିକ ସୀମାରେଖା ମଧ୍ୟରେ ସିବିଆଇ ତଦନ୍ତ ନ କରାଇ ଦେବାକୁ ଅଳ୍ପ କେତୋଟି ରାଜ୍ୟ ‘ସାଧାରଣ ସମ୍ମତି’ ପ୍ରତ୍ୟାହାର କରିବା କ୍ଷମତା ପ୍ରୟୋଗ କରିଛନ୍ତି। ପୂର୍ବରୁ ବିରୋଧୀ ଦଳ ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ଛତିଶଗଡ଼ ଏହି କ୍ଷମତା ପ୍ରୟୋଗ କରିଥିଲେ।
ଏଠାରେ ସୂଚନାଯୋଗ୍ୟ କି, ଦିଲ୍ଲୀ ସ୍ପେସାଲ୍ ପୋଲିସ୍ ଇଷ୍ଟାବ୍ଲିସ୍ମେଣ୍ଟ୍ ଆକ୍ଟ୍, ୧୯୪୬ ଦ୍ବାରା ‘ସିବିଆଇ’ ପରିଚାଳିତ ହୁଏ। ଏହି ନିୟମ ଅନୁସାରେ, କୌଣସି ରାଜ୍ୟରେ ‘ସିବିଆଇ’ ତଦନ୍ତ ନିମନ୍ତେ ସେ ରାଜ୍ୟର ସମ୍ମତି ଆବଶ୍ୟକ। ତେଣୁ, ୧୯୮୯, ଫେବ୍ରୁଆରି ୨୨ ତାରିଖ ଦିନ ମହାରାଷ୍ଟ୍ର ‘ଦିଲ୍ଲୀ ସ୍ପେସାଲ୍ ପୋଲିସ୍ ଇଷ୍ଟାବ୍ଲିସ୍ମେଣ୍ଟ୍’ ସଦସ୍ୟଙ୍କୁ ଦେଇଥିବା ସମ୍ମତି ବୁଧବାର ଆଦେଶରେ ପ୍ରତ୍ୟାହାର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/uddhav.jpg)