ରାଇଗଡ଼: ଗତକାଲି ସନ୍ଧ୍ୟାରେ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ କୋଠା ଭୁଶୁଡ଼ିବା ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ସୁଦ୍ଧା ୬୦ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ମୋଟ ୧୩ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍‌ର ୩ଟି ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମାତ୍ର ୭ ବର୍ଷ ତଳେ ନିର୍ମିତ ରାଇଗଡ଼ ଜିଲ୍ଲାର ଏହି ୫ ମହଲାବିଶିଷ୍ଟ କୋଠାର ମୋଟ ୪୫ଟି ଫ୍ଲାଟ୍‌ ଥିଲା। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିଛନ୍ତି। ଅପରପକ୍ଷେ, କୋଠା ନିର୍ମାଣ କରିଥିବା ଠିକାଦାର ୟୁନୁସ ଶେଖ୍‌ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ବୋଲି ରାଇଗଡ଼ ଜିଲ୍ଲାପାଳ ନିଧି ଚୌଧୁରୀ ସୂଚନା ଦେଇଛନ୍ତି। ‌ଦୁର୍ଘଟଣାରେ ଅତି ମାତ୍ରାରେ ଗୁରୁତର ହୋଇପଡ଼ିଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଏ ଯାଏ ଜଣାପଡ଼ି ନଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଏଭଳି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

୨୦ ଘଣ୍ଟା ପରେ ୪ ବର୍ଷର ଶିଶୁ ଉଦ୍ଧାର
ମୁମ୍ବାଇ: ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଏହି ଉକ୍ତିଟିର ସାର୍ଥକତା ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଇଗଡ଼ କୋଠା ଦୁର୍ଘଟଣାରେ। କୋଠା ଭୁଶୁଡ଼ିବା ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ୪ ବର୍ଷୀୟ ବାଳକ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଛି। ଦୁର୍ଘଟଣାର ୨୦ ଘଣ୍ଟା ପରେ କୋଠାର ଧ୍ବଂସ ସ୍ତୁପ ତଳୁ ଜଣେ ୪ ବର୍ଷର ବାଳକକୁ ଜୀବିତ ଭାବେ ଉଦ୍ଧାର କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ଉଦ୍ଧାର କରାଯାଇଥିବା ବାଳକର ମା’ (୩୦) ଏବଂ ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ବାଳକଟି ଜୀବିତ ରହିଯାଇଛି। ଜୀବିତ ଭାବେ ଉଦ୍ଧାର କରାଯାଇଥିବା ବାଳକ ପରିବାରର ମା’, ଭଉଣୀଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି।