ମୁମ୍ବାଇ: ଗତ ଶୁକ୍ରବାର ରାତିରେ ମହାରାଷ୍ଟ୍ର ଅନ୍ତର୍ଗତ ‘ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ୱେ’ରେ ଯାଉଥିବା ଗୋଟାଏ ବସ୍ରେ ନିଆଁ ଲାଗିଯିବାରୁ ପ୍ରାୟ ୨୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୭ଜଣ ଆହତ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଥିଲା।
ଏହି ଭୟାବହ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଯାତ୍ରୀ ଯୋଗେଶ ରାମଦାସ ସେସମୟର ଲୋମଟାଙ୍କୁରା ଦୃଶ୍ୟକୁ ବଖାଣି କହିଛନ୍ତି, ‘ବସର ଗୋଟିଏ ଚକା ଫାଟି ଯାଇଥିଲା। କେହିକିଛି ବୁଝିବା ପୂର୍ବରୁ ବସ ଓଲଟି ପଡ଼ିଥିଲା ଆଉ ସେଥିରେ ନିଆଁ ଲାଗି ଯାଇଥିଲା। ମୁଁ ଓ ମୋ ପାଖରେ ବସିଥିବା ଜଣେ ଯାତ୍ରୀ ଝରକା ଭାଙ୍ଗି ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲୁ। ଭଗବାନଙ୍କ ଦୟାରୁ ସୁରକ୍ଷିତ ଭାବେ ବଞ୍ଚି ଯାଇଥିଲୁ। ଏହି ଦୁର୍ଘଟଣା ପରେ ପୁଲିସ ଓ ଦମକଳ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ।
ଆମେ ବସରୁ ବାହାରିଯିବା ପରେ ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲୁ। କିନ୍ତୁ ନିଆଁ ଏତେ ଭୀଷଣ ମାତ୍ରାରେ ଜଳୁଥିଲା କି ଆଖି ସାମ୍ନାରେ ସହଯାତ୍ରୀଙ୍କୁ ଜଳୁଥିବା ଦେଖି ବି ସେମାନଙ୍କୁ ବଞ୍ଚାଇ ପାରି ନଥିଲୁ। ଛଟପଟ ହୋଇ ଜଣଙ୍କ ପରେ ଜଣେ, ଏମିତି ୨୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା।
ତେବେ ଦୁର୍ଘଟଣାସ୍ଥଳ ଦେଇ ଯାଉଥିବା ଗାଡ଼ିଗୁଡ଼ିକ ଅଟକିବାକୁ ରାଜି ନଥିଲେ। ଯଦି ଅଟକି ଥାଆନ୍ତେ ତେବେ ସେମାନଙ୍କ ଗାଡ଼ିରେ କିଛି ଆହତ ଯାତ୍ରୀ ସଠିକ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ଜୀବନ ହୁଏତ ବଞ୍ଚି ଯାଇପାରି ଥାଆନ୍ତା।
ବୁଲଢାଣା ବସ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଘଟଣାସ୍ଥଳକୁ ଯିବେ। ଘଟଣାର ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।