ମୁମ୍ବାଇ: ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଅପ୍ରତ୍ୟାଶିତ ଭାବେ ସତାର ଜିଲ୍ଲା ଅଧୀନସ୍ଥ ତାଙ୍କ ଗାଁକୁ ଚାଲିଯିବାରୁ ମହାୟୁତି ମେଣ୍ଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବାତିଲ ହୋଇଯାଇଛି। ଏହି ବୈଠକରେ ସରକାର ଗଠନ ଏବଂ ବିଭାଗ ବଣ୍ଟନ ସଂକ୍ରାନ୍ତରେ ଆଲୋଚନା ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ ସିନ୍ଦେ ଗାଁକୁ ଚାଲିଯିବା ଫଳରେ ବୈଠକ ହୋଇପାରିନି। ବିଭାଗ ବଣ୍ଟନ ନେଇ ପୂର୍ବରୁ ହୋଇଥିବା ଆଲୋଚନା ଫଳପ୍ରଦ ହୋଇନଥିବା ବେଳେ ଏହାକୁ ନେଇ ଟଣାଓଟରା ଜାରି ରହିଛି। ମହାୟୁତିର ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ଓ ବିଭାଗ ବଣ୍ଟନକୁ ନେଇ ପେଞ୍ଚ ଫସିଥିବାରୁ ନୂଆ ସରକାର ଗଠନ ନେଇ ଅହେତୁକ ବିଳମ୍ବ ହେଉଛି । ସିନ୍ଦେ ହଠାତ କିଛି ନଜଣାଇ ଗାଁକୁ ଚାଲିଯିବାରୁ ଜଣାପଡ଼ୁଛି ଯେ ସରକାର ଗଠନ ନେଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଯେଉଁ କଥାବାର୍ତ୍ତା ହୋଇଥିଲା ସେଥିରେ ସେ ଖୁସି ନାହାନ୍ତି। ଇତିମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରୀ ଏବଂ ଶିବସେନା ନେତା ଉଦୟ ସାମନ୍ତ କହିଛନ୍ତି, ଏକନାଥ ସିନ୍ଦେ ଆଦୌ ଅସନ୍ତୁଷ୍ଟ ନାହାନ୍ତି। ତାଙ୍କର ଗାଁକୁ ଯିବା ଦରକାର ପଡ଼ିବାରୁ ସେ ଗଲେ। ଆସନ୍ତାକାଲି ସିନ୍ଦେ ଫେରିଆସିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସିନ୍ଦେ ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ଗଠନ ସଂପର୍କରେ ନିଷ୍ପତ୍ତି ମୁମ୍ବାଇରେ ହିଁ ହେବ।
ସିନ୍ଦେ ଗାଁକୁ ଯିବାରୁ ମହାୟୁତି ବୈଠକ ବାତିଲ
ବିଭାଗ ବଣ୍ଟନ ନେଇ ବି ଅଡ଼ୁଆ
ଉଲ୍ଳେଖଯୋଗ୍ୟ, ଗତରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଦିଲ୍ଲୀରେ ବୈଠକ କରିବା ପରେ ଆଜି ସକାଳେ ସିନ୍ଦେ, ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଏବଂ ଏନ୍ସିପି ନେତା ଅଜିତ ପାୱାର ମୁମ୍ବାଇ ଫେରିଥିଲେ। ତେବେ ଦିଲ୍ଲୀ ବୈଠକକୁ ଉତ୍ତମ ଏବଂ ସକରାତ୍ମକ କହିବାପରେ ସିନ୍ଦେ ହଠାତ୍ ମୁମ୍ବାଇ ଛାଡ଼ିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏକ ସୂତ୍ରରୁ ଜଣାପଡ଼ିଛି ଯେ ଗତକାଲିର ବୈଠକରେ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ସେ ଏଥିରେ ରାଜି ହୋଇନାହାନ୍ତି। ସେ ଗୃହ ବିଭାଗ ଦାବି କରିଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ତାଙ୍କୁ ଗୃହ ବିଭାଗ ମିଳିବ କି ନା’ ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଯେ ବିଜେପି ନିଜ ପାଖରେ ଗୃହ ବିଭାଗ ରଖିବ ଏବଂ ଅଜିତ ପାୱାରଙ୍କ ଏନ୍ସିପି ଅର୍ଥ ବିଭାଗ ରଖିବ। ଏକନାଥ ସିନ୍ଦେଙ୍କ ସେନାକୁ ସହରାଞ୍ଚଳ ବିକାଶ ଏବଂ ପୂର୍ତ୍ତ ବିଭାଗ ଦିଆଯିବ। ସୂଚନାନୁଯାୟୀ ବିଜେପି ପାଖରେ ୨୨ କ୍ୟାବିନେଟ୍ ପଦ ରହିବ ଏବଂ ଶିବସେନା, ଏନ୍ସିପି ପାଖରେ ଯଥାକ୍ରମେ ୧୨ ଏବଂ ୯ଟି ମନ୍ତ୍ରାଳୟ ରହିବ। ଡିସେମ୍ବର ୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ୨୮୮ ଆସନରୁ ୨୩୫ ଆସନରେ ନିର୍ବାଚନ ଜିତିଥିଲା। ବିଜେପି ୧୩୨ ବିଧାନସଭା ଆସନରେ ଜିତିଥିବା ବେଳେ ଶିବସେନା ଏବଂ ଅଜିତ ପାୱାରଙ୍କ ଏନ୍ସିପି ଯଥାକ୍ରମେ ୫୭ ଏବଂ ୪୧ ଆସନରେ ଜିତିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/30/gBaLXNgLDw1QevnKXWDI.jpg)