ଚର୍ଚ୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଅମୃତା ଫଡ୍‌ନାଭିସଙ୍କ ସେଲ୍‌ଫି ନିଶା: ମଝି ସମୁଦ୍ରରେ ବିପଦଜନକ ଭାବେ ନେଲେ ସେଲ୍‌ଫି; ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ଏବେ ସାରା ବିଶ୍ୱରେ ଲୋକମାନଙ୍କୁ ସେଲ୍‌ଫି ନିଶା ଘାରିଛି । କୌଣସି ନୂଆ ସ୍ଥାନକୁ ବୁଲିଗଲେ ଲୋକମାନେ ସେଲ୍‌ଫି ନେବାକୁ ଆଦୌ ଭୁଲୁ ନାହାନ୍ତି । ପୂର୍ବରୁ ସେଲ୍‌ଫିକୁ ନେଇ ଅନେକ ଦୁର୍ଘଟଣା ଘଟିଥିବା ବେଳେ ଏ ନେଇ କଡ଼ା ଆଇନ ତିଆରି କରିଛନ୍ତି କେନ୍ଦ୍ର ସରକାର । ସବୁ ଦର୍ଶନୀୟ ସ୍ଥାନରେ ଥିବା ବପଦସଙ୍କୁଳ ଜାଗାରେ ଯେମିତି ଲୋକମାନେ ସେଲ୍‌ଫି ନ ନିଅନ୍ତି; ସେ ନେଇ କଡ଼ା ନଜର ରଖିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନାଭିସ୍‌ଙ୍କ ପତ୍ନୀ ଏହି ନିୟମ ଭଙ୍ଗ କରିଥିବା ଦେଖାଯାଇଛି । ଏକ କ୍ରୁଜ୍‌ର (ପାଣି ଜାହାଜ)ଧାରରେ ବସି ମଝି ସମୁଦ୍ରରେ ଦେବେନ୍ଦ୍ର ଫଡ଼୍‍ନଭିସ୍‌ଙ୍କ ପତ୍ନୀ ଅମୃତା ସେଲ୍‌ଫି ନେଉଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଦେଖାଯାଇଛି ।

ସୂଚନା ମୁତାବକ, ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା ଭାରତର ପ୍ରଥମ ବିଳାସପୁର୍ଣ୍ଣ କ୍ରୁଜ୍‌ ଆଙ୍ଗ୍ରିଆର ଶୁଭାରମ୍ଭ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନଭିସ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଦେବେନ୍ଦ୍ର ଫଡ଼୍‍ନଭିସ୍‌ଙ୍କ ସହ ତାଙ୍କ ପତ୍ନୀ ଅମୃତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସବୁ ସରିବା ପରେ ଅମୃତା ହଠାତ୍‌ ସୁରକ୍ଷା ବଳୟରୁ ବାହାରି କ୍ରୁଜ୍‌ର ଧାରରେ ବସି ସେଲ୍‌ଫି ନେବାକୁ ଲାଗିଥିଲେ । ତାଙ୍କୁ ସୁରକ୍ଷାକର୍ମୀମାନେ ମନା କରିଥିଲେ ମଧ୍ୟ ସେ କାହା କଥା ଶୁଣି ନଥିଲେ । ଏବେ ସେହି ସମୟର ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ଅମୃତା ।

ସମ୍ବନ୍ଧିତ ଖବର