ମହାରାଷ୍ଟ୍ର: ଔରଙ୍ଗାବାଦରେ ପାଣି ପାଇଁ ସଂଘର୍ଷ ଘଟି ୧୦୦ ଦୋକାନ ପୋଡ଼ି

ଔରଙ୍ଗାବାଦ: ଶୁକ୍ରବାର ରାତିରେ ପାଣି ପାଇଁ ଔରଙ୍ଗାବାଦ ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଉଗ୍ରରୂପ ଧାରଣ କରିବାରୁ ଶନିବାର ସକାଳେ ଅନ୍ୟୂନ ୧୦୦ ଦୋକାନ ପୋଡ଼ି ଦିଆଯାଇଛି। ଏଥିରେ ଜଣେ ବ୍ୟକ୍ତି ମରିଥିବାର ଖବର ମିଳିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ ବାବଦରେ ନିଶ୍ଚିତ କରି କିଛି କହି ନାହାନ୍ତି।

ଏକ ଧାର୍ମିକ ସ୍ଥଳକୁ ବେଆଇନ୍‌ ଭାବେ କରାଯାଇଥିବା ଜଳ ସଂଯୋଗକୁ ବିଚ୍ଛିନ୍ନ କରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ଦିନ ସଂଘର୍ଷର ସୂତ୍ରପାତ ହୋଇଥିଲା। ସହରର ବିଭିନ୍ନ ଅଞ୍ଚଳରେ ଉଭୟ ଗୋଷ୍ଠୀର ଯୁବକମାନେ ରାସ୍ତା ଉପରକୁ ଚାଲି ଆସି ପରସ୍ପରଙ୍କୁ ଆକ୍ରମଣ କରିବା ସହ ଟେକାପଥର ଫିଙ୍ଗାଫିଙ୍ଗି କରିଥିଲେ। କେତେକ ଗାଡ଼ି ମଧ୍ୟ ପୋଡ଼ା ଯାଇଥିଲା।

ଉତ୍ତ୍ୟକ୍ତ ଜନତା ରାସ୍ତାରେ ଆକ୍ରମଣ କରିବା, ଘରବାଡ଼ି ପୋଡ଼ାପୋଡ଼ି କରିବା ଆଦି ଦୃଶ୍ୟ ବିଭିନ୍ନ ଫୁଟେଜ୍‌ରେ ଦେଖାଯାଉଛି। ପାହାନ୍ତାରେ ପୁଲିସ ଗୁଳି ଚଳାଉଥିବା ଏବଂ ଲୁହବୁହା ବାଷ୍ପ ପ୍ରୟୋଗ କରୁଥିବାର ଫୁଟେଜ୍‌ ମଧ୍ୟ ମିଳିଛି।

ଏହି ହିଂସାକାଣ୍ଡରେ ଅନ୍ୟୂନ ୧୦ ଜଣ ପୁଲିସବାଲା ଆହତ ହୋଇଛନ୍ତି।

ପରବର୍ତ୍ତୀ ସମୟରେ ଔରଙ୍ଗାବାଦ ସହରରେ ୧୪୪ ଧାରା ଜାରି କରାଯାଇଛି।

ସମ୍ବନ୍ଧିତ ଖବର