ମୁମ୍ବାଇ: ପୁନେର କୋରେଗାଓଁ ଭୀମା ଅଂଚଳରୁ ଆରମ୍ଭ ହୋଇଥିବା ବ୍ୟାପକ ଜାତିଆଣ ହିଂସାକୁ ନେଇ ଆଜି ଦିଆଯାଇଥିବା ମହାରାଷ୍ଟ୍ର ବନ୍ଦ ଡାକରା ପ୍ରତ୍ୟାହାର କରିନିଆଯାଇଛି । ତେବେ ବନ୍ଦ ପ୍ରତ୍ୟାହାର ସତ୍ତ୍ୱେ ରାଜ୍ୟର ବିଭିନ୍ନ ଅଂଚଳରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ନାନ୍ଦେଦ୍ର ଆସ୍ତି ଗ୍ରାମରେ ଯୋଗେଶ ପ୍ରହଲ୍ଲାାଦ ଯାଦବ ନାମକ ଜଣେ ୧୬ ବର୍ଷର ଛାତ୍ର ପ୍ରାଣ ହରାଇଛି। ରାସ୍ତାରୋକ ସମୟରେ ପୁଲିସ ଉତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନରେ ଯୋଗେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିବା ରାଜ୍ୟ ଗୃହମନ୍ତ୍ରୀ ଦିପକ କେଶରକର୍ କହିଛନ୍ତି। ସାମାଜିକ କାର୍ଯ୍ୟକର୍ତ୍ତା ତଥା ବାବାହାହେବ ବିଆର୍ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର ଏହି ବନ୍ଦ ପ୍ରତ୍ୟାହାର କରାଯାଇଥିବା ଘୋଷଣା କରିଛନ୍ତି। ଜାନୁଆରୀ ୧ ତାରିଖରେ ଭୀମା କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ପାଳନ ବେଳେ ଦଳିତ ଏବଂ ମରାଠା ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦ୍ୱାରା ଜଣେ ବ୍ୟକ୍ତି ପ୍ରାଣ ହରାଇବା ଘଟଣାକୁ ନେଇ ଜାରି ରହିଥିବା ହିଂସାତ୍ମକ ଆନ୍ଦୋଳନରେ ବ୍ୟାପକ କ୍ଷୟକ୍ଷତି ଘଟିଛି।
ଆଜି ମୁମ୍ବାଇ ସମେତ ଅନେକ ସହରାଞ୍ଚଳରେ ଆନ୍ଦୋଳନକାରୀଙ୍କ ଶୋଭାଯାତ୍ରା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ତେବେ ପୂର୍ବାହ୍ନରେ ଆମ୍ବେଦକର ବନ୍ଦ ଡାକରା ପ୍ରତ୍ୟାହାର କରିନେବାପରେ ସହର ଶାନ୍ତ ପଡ଼ିଥିଲା। ବହୁ ସଂଖ୍ୟାରେ ବିଶୃଙ୍ଖଳ ଦଳିତ ଗୋଷ୍ଠୀ ଦ୍ୱାର ଟ୍ରେନ୍, ମେଟ୍ରୋ ଏବଂ ବସ୍ ସେବାକୁ ଭଣ୍ଡୁର କରିବାକୁ ଉଦ୍ୟମ ହୋଇଥିଲା। ବନ୍ଦ ପ୍ରତ୍ୟାହାର ସତ୍ତ୍ୱେ ହିଂସା ଭୟରେ ଲୋକେ ଦୋକାନ ବଜାର ବନ୍ଦ କରିଦେଇଥିଲେ। ହିଂସାରେ ପ୍ରାୟ ୭ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ମୁମ୍ବାଇ ସହରରେ ୨୧,୦୦୦ ସୁରକ୍ଷା କର୍ମୀ ନିୟୋଜିତ ରହିଛନ୍ତି। ସହରରେ ଆଜି ପ୍ରାୟ ୬ ଘଣ୍ଟା ଧରି ବିଭିନ୍ନ ଅଂଚଳରେ ଟ୍ରାଫିକ୍ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହୋଇଥିଲେ। ଲୋକାଲ ଟ୍ରେନ୍ ବନ୍ଦ ହେବାଫଳରେ ସେଣ୍ଟ୍ରାଲ ରେଲେଓ୍ଵ ମେନ୍ଲାଇନ୍ ପ୍ରଭାବିତ ହୋଇଛି। ଉତ୍ୟକ୍ତ ଲୋକ ୫୦ରୁ ଊର୍ଦ୍ଧ୍ୱ ବସ୍ ଭଙ୍ଗାରୁଜା କରିଛନ୍ତି। ୪ ଜଣ ଡ୍ରାଇଭର ଆହତ ହୋଇଛନ୍ତି ଏବଂ ୧୫୦ରୁ ଅଧିକ ହିଂସା ସୃଷ୍ଟିକାରୀଙ୍କୁ ମୁମ୍ବାଇରେ ଅଟକ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/caste-violence-situation-remains-tense-across-maharashtra.jpg)