ବେକାବୁ ହେଉଛି କରୋନା: ମହାରାଷ୍ଟ୍ରରେ କୌଣସି ବି ମୁହୂର୍ତ୍ତରେ ଲାଗିପାରେ ‘ଲକ୍‌ଡାଉନ୍’ ଭଳି କଟକଣା‌

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣସ୍ଥିତି ବେକାବୁ ହେବାକୁ ବସିଛି। ଦିନକୁ ଦିନ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବା କାରଣରୁ ରାଜ୍ୟରେ କଟକଣା ଲଗାଇବାକୁ ଏସ୍‌ଓପି ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟରେ ଯେକୌଣସି ମୁହୂର୍ତ୍ତରେ ବି ଲକ୍‌ଡାଉନ୍‌ ଭଳି କଟକଣା ଜାରି ହୋଇପାରେ ବୋଲି ସୂଚନା ରହିଛି। ତେବେ ଏହି ଲକ୍‌ଡାଉନ୍‌ ଗତବର୍ଷ ପରି କଡ଼ା ନ ହୋଇପାରେ। ଆଜି ରାତି ୮.୩୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଆଜି ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏ ନେଇ ଘୋଷଣା କରାଯିବ। ଗତ ସପ୍ତାହରୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ହେତୁ ରାଜ୍ୟରେ ଲକ୍‌ଡାଉନ୍‌ ପରି କଟକଣାର ଆଶଙ୍କା କରାଯାଉଛି। ତେଣେ ମହାରାଷ୍ଟ୍ର ସରକାରଙ୍କ କୋଭିଡ୍ ଟାସ୍କଫୋର୍ସ ପକ୍ଷରୁ କଡା କଟକଣା ଜାରି ଲାଗି ପ୍ରସ୍ତାବ ଦିଆଯାଇଥିବା ସୂଚନା ରହିଛି।

ତେବେ ଅନୁମାନ କରାଯାଉଛି ଯେ ଗତବର୍ଷ ପରି ଏ ବର୍ଷ ଲକ୍‌ଡାଉନ୍‌ରେ ସବୁ କିଛି ବନ୍ଦ ହେବ ନାହିଁ। ଆସନ୍ତାକାଲି ମଧ୍ୟରାତ୍ରରୁ ନେଇ ଏପ୍ରିଲ୍‌ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟଭିତରେ ଓ ଆନ୍ତଃରାଜ୍ୟ ପରିବହନ ସେବା ବନ୍ଦ ହୋଇପାରେ । ଘରୋଇ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ, ପଡ଼ିଆ, ପାର୍କ, ଜିମ୍ ଆଦି ବନ୍ଦ ହେବାର ସମ୍ଭାବନା ମଧ୍ୟ ରହିଛି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ସୋମବାର ୨୫୮ କରୋନାଜନିତ  ମୃତ୍ୟୁ ଏବଂ ୫୧,୭୫୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୃତ୍ୟୁହାର ୧.୬୮% ରହିଛି। ମହାରାଷ୍ଟ୍ରରେ ରବିବାର ଦିନ ସର୍ବାଧିକ ୬୩,୨୯୪ ନୂତନ କୋଭିଡ -୧୯ ମାମଲା ଚିହ୍ନଟ ହୋଇ ରେକର୍ଡ ସୃଷ୍ଟି କରିଛି। ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ହେଉଛି ସର୍ବାଧିକ ଦିନିକିଆ ସଂକ୍ରମିତ ସଂଖ୍ୟା।

ସମ୍ବନ୍ଧିତ ଖବର