ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକାଳ ମନ୍ଦିରର ନିୟମ ଭଙ୍ଗ ହୋଇଥିବାର ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଏହି ନିୟମ ଭଙ୍ଗ ଚଳିତ ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାଂସଦ ପୁଅ ଶ୍ରୀକାନ୍ତ ସିନ୍ଦେ ଓ ତାଙ୍କ ପତ୍ନୀ କରିଥିବା ଅଭିଯୋଗ ହୋଇଛି। 

Advertisment

ସୂଚନାଯୋଗ୍ୟ,  ଉଜ୍ଜୟିନୀରେ ଥିବା ମହାକଳ ମନ୍ଦିରର ଗର୍ଭଗୃହକୁ ପୂର୍ବରୁ ସମସ୍ତ ଭକ୍ତଙ୍କ ପ୍ରବେଶ ଅନୁମତି ଥିଲା। କିନ୍ତୁ ଏକବର୍ଷ  ହେବ ଏଥିରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଅର୍ଥାତ ମହାକାଳ ମନ୍ଦିରର ଗର୍ଭଗୃହକୁ କେବଳ ପୁରୋହିତମାନେ ହିଁ ପ୍ରବେଶ କରି ପାରିବାର ନିୟମ ଲାଗୁ ହୋଇଛି ।  

ଏହି ନିୟମ ଲାଗୁ ହେବାପରେ ଭକ୍ତ ଏବଂ ଶ୍ରଦ୍ଧାଳୁ ମହାକାଳେଶ୍ୱର ଶିବଲିଙ୍ଗ ଠାରୁ ୫୦ ଫୁଟ ଦୂରରେ ଥାଇ ଦର୍ଶନ କରିବେ। 

ଏଭଳି ନିୟମ ସତ୍ତ୍ବେ ଗତବୁଧବାର ଶ୍ରୀକାନ୍ତ ସିନ୍ଦେ ତାଙ୍କ ପତ୍ନୀ ଓ ଦୁଇ ସାଥୀ ମହାକାଳ ମନ୍ଦିରର ଗର୍ଭଗୃହରେ ପଶି  ସନ୍ଧ୍ୟା ୫ଟା ୩୮ ମିନିଟ୍‌ରେ ପୂଜାଅର୍ଚ୍ଚନା କରିଥିଲେ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

 ଲୋକେ ପ୍ରଶ୍ନ କରିଛନ୍ତି ନିଷେଧାଦେଶ ସତ୍ତ୍ୱେ ଶ୍ରୀକାନ୍ତ ସିନ୍ଦେ ଓ ତାଙ୍କ ପତ୍ନୀ ଗର୍ଭଗୃହକୁ ପଶିଲେ କେମିତି? ଏଥିପାଇଁ ତାଙ୍କୁ କିଏ ପରାମର୍ଶ ଦେଲେ? ଏଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାରଣ ଏହି ଘଟଣାକୁ ମିଶାଇଲେ ଗର୍ଭଗୃହରେ ଭିଆଇପି ପ୍ରବେଶର ଏହା ଚତୁର୍ଥ ଘଟଣା।

ଏହି ଘଟଣା ସାମ୍ନାକୁ ଆସିବା ପ‌ରେ ପ୍ରଶାସନ କହିଛି ଯେ  ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯିବ। ଦଣ୍ଡରେ କୋହଳ ହେବ ନାହିଁ।