ମହାରାଷ୍ଟ୍ର କଂଗ୍ରେସ-ଏନ୍‌ସିପି ପାଇଁ ସଙ୍କଟ

ମୁମ୍ବାଇ: ଦୁଇ ଦିନ ତଳେ ତେଲେଙ୍ଗାନାର ୧୨ ଜଣ କଂଗ୍ରେସ ବିଧାୟକ ଟିଆର୍‌ଏସ୍‌ରେ ସାମିଲ ହୋଇଥିବା ବେଳେ ଏବେ ମହାରାଷ୍ଟ୍ରରେ ମଧ୍ୟ ଦଳ ପାଇଁ ବଡ଼ ସଙ୍କଟ ମୁଣ୍ଡ ଟେକିଲାଣି। ଲୋକସଭା ନିର୍ବାଚନରେ କଂଗ୍ରେସର ବଡ଼ ବିପର୍ଯ୍ୟୟ ରାଜ୍ୟରେ ଦଳକୁ ଦୋହଲାଇ ଦେଇଛି ଏବଂ ଉଭୟ କଂଗ୍ରେସ ଏବଂ ଏନ୍‌ସିପିର ଅନେକ ବିଧାୟକ ଏବେ ଦଳ ଛାଡ଼ିବା ଯୋଜନାରେ ରହିଛନ୍ତି। ଉଭୟ ଦଳର ୨୫ ଜଣ ବିଧାୟକ ବିଜେପି ସହ ଲଗାତାର ସଂପର୍କରେ ଅଛନ୍ତି ଏବଂ ଯେ କୌଣସି ସମୟରେ ସେମାନେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ମହାରାଷ୍ଟ୍ର ଜଳସଂପଦ ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି। ଚଳିତ ବର୍ଷ ସେପ୍‌ଟେମ୍ବରରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଡ଼ ଧରଣର ଦଳବଦଳ କଂଗ୍ରେସ-ଏନ୍‌ସିପିର ସଙ୍କଟକୁ ଆହୁରି ବଢ଼ାଇବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି।

ମହାଜନ କହିଛନ୍ତି ଯେ କଂଗ୍ରେସ ଏବଂ ଏନ୍‌ସିପିର ଉକ୍ତ ୨୫ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି ଏବଂ ଆଉ କେତେ ଜଣ ତୃତୀୟ ପକ୍ଷ ମାଧ୍ୟମରେ ଯୋଗସୂତ୍ର ରକ୍ଷା କରୁଛନ୍ତି। ସମସ୍ତେ ବିଜେପିରେ ଯୋଗ ଦେବାକୁ ଆଗ୍ରହୀ ବୋଲି ସେ କହିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଅଶୋକ ଚୌହାନ ଦଳରେ କ’ଣ ଘଟୁଛି ସେହି ଖବର ରଖିପାରୁ ନାହାନ୍ତି ଏବଂ ରାଜ୍ୟରେ ବିଜେପି ସପକ୍ଷରେ ପ୍ରବଳ ଜନମତ ଥିବାରୁ ବିରୋଧୀ ଦଳର ବିଧାୟକମାନେ ଏବେ ବିଜେପିକୁ ଆସିବାକୁ ଆଗ୍ରହୀ ବୋଲି ମହାଜନ କହିଛନ୍ତି। ପୂର୍ବରୁ ପୌର ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଥିବାରୁ ଏଭଳି ସ୍ଥିତି ଆସିଛି ବୋଲି ସେ କହିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଏନ୍‌ସିପି ମେଣ୍ଟ ୫୦ରୁ ଅଧିକ ଆସନ ଜିତି ପାରିବ ନାହିଁ ବୋଲି ସେ କହିଛନ୍ତି ।

ମହାଜନ କହିଛନ୍ତି ଯେ ବରିଷ୍ଠ କଂଗ୍ରେସ ନେତା ରାଧାକୃଷ୍ଣ ଭିଖେ ପାଟିଲ ମୌସୁମୀ ଅଧିବେଶନ ପୂର୍ବରୁ ବିଜେପିରେ ସାମିଲ ହୋଇପାରନ୍ତି। ଆସନ୍ତାକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସମେତ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ରହିବେ। ସୂଚନାଯୋଗ୍ୟ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟରେ ୧୨୨ ଆସନ ଦଖଲ କରିଥିବା ବେଳେ ମେଣ୍ଟ ସହଯୋଗୀ ଶିବ ସେନାକୁ ୬୩ ଆସନ ମିଳିଥିଲା। କଂଗ୍ରେସ ଏବଂ ଏନ୍‌ସିପି ୪୧ଟି ଲେଖାଏଁ ଆସନରେ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର