ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଜୁନ୍ ୩୦ରେ ‘ଫ୍ଲୋର ଟେଷ୍ଟ’ ଦେବା ଲାଗି (ଆସ୍ଥା ଭୋଟ୍ ଲୋଡିବା) ଉଦ୍ଧବ ସରକାରଙ୍କୁ ସୂଚନା ଦେଇସାରିଛନ୍ତି। ଏହାକୁ ବିରୋଧ କରି ଉଦ୍ଧବ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିବା ବେଳେ ‌ଏବେ ତାହାର ଶୁଣାଣି ଆରମ୍ଭ ହୋଇଛି।

Advertisment

ସୁପ୍ରିମକୋର୍ଟରେ ଅଭିଷେକ ମନୁ ସିଂଘଭି ଶିବସେନାର ପକ୍ଷ ଉପସ୍ଥାପନ କରୁଥିବାବେଳେ ନୀରଜ କିଶନ କୌଲ  ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରୁଛନ୍ତି। ଏବେ ଶୁଣାଣି ଜାରି ରହିଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଥିବା ‘ଫ୍ଲୋରଟେଷ୍ଟ’ରେ ବିଜେପିକୁ ସମର୍ଥନ ଦେବେ ବୋଲି ଏମ୍‌ଏନଏସ୍‌ ମୁଖ୍ୟ ରାଜ୍‌ ଠାକରେ ସ୍ପଷ୍ଟ କରି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ଆସନ୍ତାକାଲି (ଗୁରୁବାର, ୩୦ ଜୁନ୍‌) ହେବାକୁ ଥିବା ଫ୍ଲୋରଟେଷ୍ଟରେ ସମର୍ଥନ ଲାଗି ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ସହ ଫୋନରେ କଥା ବାର୍ତ୍ତା କରିଥିଲେ। ରାଜ୍‌ ଠାକରେଙ୍କ ସହ କଥାବାର୍ତ୍ତା କରିବା ପରେ ଫଡନାଭିସ୍‌ କହିଛନ୍ତି, ଠାକରେ ରାଜି ହୋଇଛନ୍ତି ଯେ ଫ୍ଲୋରଟେଷ୍ଟ ସମୟରେ ତାଙ୍କ ଦଳ ବିଜେପି ସପକ୍ଷରେ ଭୋଟ୍‌ ଦେବ। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାରେ ଏମଏନଏସର ଜଣେ ବିଧାୟକ ଅଛନ୍ତି।

ଏହା ସହ ମହାରାଷ୍ଟ୍ର ବିଜେପି ନେତା ସୁଧୀର ମୁଙ୍ଗାଣ୍ଟିୱାର ବୁଧବାର ରାଜ୍ୟ ବିଧାନସଭା ସଚିବାଳୟର ପ୍ରମୁଖ ସଚିବ ରାଜେନ୍ଦ୍ର ଭାଗବତଙ୍କୁ ଭେଟି ଜୁନ୍‌ ୩୦ରେ ଫ୍ଲୋରଟେଷ୍ଟ ପାଇଁ ରାଜ୍ୟରେ ପହଞ୍ଚିବାକୁ ଥିବା ବିଦ୍ରୋହୀ ଶିବସେନା ବିଧାୟକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି।