ଶକ୍ତିଶାଳୀ ହେଉଛି ସିନ୍ଦେ ଗୋଷ୍ଠୀ, ବିଦ୍ରୋହରେ ସାମିଲ୍‌ ପାଇଁ ପ୍ରସ୍ତୁତ ଆଉ ଜଣେ ଶିବସେନା ବିଧାୟକ

ମୁମ୍ବାଇ: ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି ସିନ୍ଦେ ଗୋଷ୍ଠୀ। ଶିବସେନା ଦଳର ୫୫ ଜଣ ବିଧାୟକଙ୍କ ମଧ୍ୟରୁ ୩୯ ଜଣ ବିଧାୟକ ବିଦ୍ରୋହ କରି ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଗୋଷ୍ଠୀରେ ସାମିଲ୍‌ ହୋଇଥିବା ବେଳେ ଏବେ ପୁଣି ଜଣେ ବିଧାୟକ ବିଦ୍ରୋହୀମାନଙ୍କ ସହ ସାମିଲ୍‌ ହେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ଏଯାବତ୍‌ ଏ ନେଇ କେଉଁ ବିଧାୟକ ଉଦ୍ଧବ ଠାକ୍‌ରେଙ୍କୁ ଛାଡ଼ି ସିନ୍ଦେଙ୍କ ସହ ହାତ ମିଳାଇବେ ତାହା ସ୍ପଷ୍ଟ ହୋଇ ନାହିଁ। ମାତ୍ର ସିନ୍ଦେ ଗୋଷ୍ଠୀରେ ଅନ୍ୟ ଜଣେ ବିଧାୟକ ସାମିଲ୍‌ ହେବାକୁ ଯାଉଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଉଦ୍ଧବଙ୍କ ନିକଟରେ ‌ଏବେ ୧୬ ଜଣ ବିଧାୟକ ଥିବା ବେଳେ ଜଣେ ବିଧାୟକ ଯିବା ପରେ ତାଙ୍କ ନିକଟରେ ଆଉ ୧୫ ବିଧାୟକ ରହିବେ ଓ ‌ସିନ୍ଦେଙ୍କ ଗୋଷ୍ଠୀରେ ରହିବେ ୪୦ ଜଣ।

ପୂର୍ବରୁ ଶିବସେନାର ମୁଖପାତ୍ର ସଂଜୟ ରାଉତଙ୍କ ଭାଇ ସୁନୀଲ ରାଉତ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେବେ ବୋଲି ଜୋରଦାର ଚର୍ଚ୍ଚା ହେବାପ‌ରେ ଏହାକୁ ସୁନୀଲ ରାଉତ ଖଣ୍ଡନ କରିଥିଲେ। ସେ କହିଥିଲେ କି, ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ସେ ଶିବ ସୈନିକ ଭାବେ କାମ କରିବେ।

ସୁନୀଲ ଆହୁରି ବି କହିଥିଲେ ଯେ ‘ଗୌହାଟି କାହିଁକି ଯିବି? ମୁଁ ଗୋଆ ଯିବି। ଗୋଆରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବି। ଗୌହାଟୀରେ କ’ଣ ପ୍ରତାରକଙ୍କ ମୁହଁ ଦେଖିବି? ମୁଁ ଜଣେ ଶିବସୈନିକ ଏବଂ ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ଦଳ ପାଇଁ କାମ କରିବି। ନାରାୟଣ ରାଣେ ଏବଂ ରାଜ୍‌ ଠାକ୍‌ରେ ଯାହା ଚାହୁଛନ୍ତି ତାହା କହନ୍ତୁ କିନ୍ତୁ ଏହି ଲଢ଼େଇରେ ଉଦ୍ଧବ ଠାକ୍‌ରେ ନିଶ୍ଚିତ ଜିତିବେ।’

ସମ୍ବନ୍ଧିତ ଖବର