ମହାରାଷ୍ଟ୍ର ସଙ୍କଟ: ଠାକ୍‌ରେଙ୍କୁ ମଧ୍ୟରାତ୍ରି ଝଟ୍‌କା, ଖେଳ ବଦଳାଇଲେ ନୂଆ ବାଚସ୍ପତି

ସ‌ନ୍ଧେ ଗୋଷ୍ଠୀକୁ ମିଳିଲା ସ୍ବୀକୃତି, ଆଜି ଆସ୍ଥା ଲୋଡ଼ିବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ବିଜେପି ସହିତ ମିଶି ନୂଆ ବାଚସ୍ପତି ଭାବେ ରାହୁଲ ନର୍ବେକରଙ୍କୁ ବିଜୟୀ କରିଛନ୍ତି। ସୋମବାର ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ରବିବାର ବିଳମ୍ବିତ ରାତିରେ ନବନିଯୁକ୍ତ ବାଚସ୍ପତି ଖେଳ ଆରମ୍ଭ କରିଦେଇଛନ୍ତି। ବିଧାୟକ ‌ଦଳ ନେତା ପଦରୁ ଶିବସେନା ବିଧାୟକ ଅଜୟ ଚୌଧାରୀଙ୍କୁ ବାଚସ୍ପତି ବିଦା କରିଛନ୍ତି। ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ଚିଠି ଜାରି କରାଯାଇଛି। ଏଥିସହିତ ସିନ୍ଦେଙ୍କୁ ବିଧାୟକ ଦଳ ‌ନେତାଭାବେ ପୁନଃଅବସ୍ଥାପିତ କରାଯାଇଛି। ସେହିଭଳି ସ‌ିନ୍ଦେ ଗୋଷ୍ଠୀ ପକ୍ଷରୁ ଭରତ ଗୋଗୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ସ୍ବୀକୃତି ଦିଆଯାଇଛି। ପୂର୍ବରୁ ଏହି ପଦରେ ରହିଥିବା ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀର ବିଧାୟକ ସୁନୀଲ ପ୍ରଭୁଙ୍କୁ ହଟାଇ ଦିଆଯାଇଛି।

ଆଜି ବିଧାନସଭାରେ ଆସ୍ଥା ଭୋଟ ହେବାକୁ ଥିବା ବେଳେ ବିଳମ୍ବିତ ରାତିର ଏହି ଘଟଣା ଶିବସେନା ପାଇଁ ଏକ ବଡ଼ ଝଟ୍‌କା ହୋଇଛି। ଏହାଫଳରେ ଉଦ୍ଧବଙ୍କ ପଟେ ଥିବା ୧୬ ବିଧାୟକ ସୋମବାର ଆସ୍ଥା ଭୋଟ ପୂର୍ବରୁ ଗୋଗୱାଲେଙ୍କ ପକ୍ଷରୁ ଜାରି ହେବାକୁ ଥିବା ହ୍ବିପ୍ ମାନିବାକୁ ବାଧ୍ୟହେବେ। ଯଦି ଏହି ୧୬ ବିଧାୟକ ହ୍ବିପକୁ ନମାନନ୍ତି ତା’ହେଲେ ସେମାନେ ଅଯୋଗ୍ୟ ହୋଇପାରନ୍ତି। ଆସ୍ଥା ଭୋଟ ପୂର୍ବରୁ ରବିବାର ଦିନ ମୁମ୍ବାଇର ଏକ ହୋଟେଲରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ବିଜେପି ଓ ତାଙ୍କ ଗୋଷ୍ଠୀର ବିଧାୟକମାନଙ୍କ ସହିତ ବୈଠକ ବି କରିଥିଲେ।

ଖେଳ ବଦଳାଇଲେ ନୂଆ ବାଚସ୍ପତି
ସ‌ିନ୍ଦେ ଗୋଷ୍ଠୀକୁ ମିଳିଲା ସ୍ବୀକୃତି
ଆଜି ଆସ୍ଥା ଲୋଡ଼ିବେ ମୁଖ୍ୟମନ୍ତ୍ରୀ
ସିନ୍ଦେଙ୍କ ହୁଇପ୍ ନ ମାନିଲେ ଅଯୋଗ୍ୟ ଘୋଷଣା ହୋଇପାରନ୍ତି ଠାକ୍‌ରେ ଗୋଷ୍ଠୀ

ଏହାପୂର୍ବରୁ ମହାରାଷ୍ଟ୍ର ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ରବିବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜେପିର ରାହୁଲ ନର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତାକାଲି ଏକନାଥ ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ କରିବା ପାଇଁ ସ୍ଥିର ହୋଇଛି। ଆଜି ବିଧାନସଭାରେ ହୋଇଥିବା ସେମିଫାଇନାଲରେ ବିଜେପି ଓ ସିନ୍ଦେ ଗୋଷ୍ଠୀ ବିଜୟୀ ହୋଇଥିବା ବେଳେ ଆସନ୍ତାକାଲି ହେବାକୁ ଥିବା ସଂଖ୍ୟାଗରିଷ୍ଠତା ପ୍ରମାଣକୁ ଫାଇନାଲ ଭାବେ ବିବେଚନା କରାଯାଉଛି। ତେଣୁ ଫ୍ଲୋର ଟେଷ୍ଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ମହାରାଷ୍ଟ୍ର ବିଧାନସଭାବେ ମୋଟ ବିଧାୟକଙ୍କ ସଂଖ୍ୟା ୨୮୮। ଆଜି ବାଚସ୍ପତି ନିର୍ବାଚନରେ ବିଜେପି-ସିନ୍ଦେ ଗୋଷ୍ଠୀ ୧୬୪ଟି ଭୋଟ୍ ପାଇଛନ୍ତି। ମହାବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ବାଚସ୍ପତି ପ୍ରାର୍ଥୀ ଭାବେ ଶିବସେନାର ରାଜନ ସାଲଭି ଲଢ଼ୁଥିଲେ। ତାଙ୍କୁ ୧୦୭ଟି ଭୋଟ୍ ମିଳିଛି। ଯଦି ଏଭଳି ସ୍ଥିତି କାଲି ମଧ୍ୟ ଜାରି ରହେ ତାହେଲେ ସରକାର ଆସ୍ଥା ଭୋଟରେ ବିଜୟୀ ହେବା ଆଶା ଉଜ୍ଜ୍ବଳ। ତେବେ ମହାରାଷ୍ଟ୍ର ରାଜନୀତି ଆଇନ ଜାଲରେ ବି ଛନ୍ଦି ହୋଇଛି। ମାମଲା ସୁପ୍ରିମ କୋର୍ଟରେ ରହିଛି। ଶିବସେନାର ଏକନାଥ ସିନ୍ଦେଙ୍କ ସମେତ ବିଦ୍ରୋହୀ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉଦ୍ଧବଙ୍କ ଗୋଷ୍ଠୀ ପକ୍ଷରୁ ସୁପ୍ରମ କୋର୍ଟରେ ମାମଲା ହୋଇଛି। ଯଦି ସୁପ୍ରିମ କୋର୍ଟ ଏହି ୧୬ ଜଣଙ୍କୁ ଅଯୋଗ୍ୟ ଘୋଷଣା କରନ୍ତି ତାହେଲେ ବିଧାନସଭାର ମୋଟ ସଭ୍ୟ ସଂଖ୍ୟା ୨୭୨କୁ କମିଯିବ। ଏ କ୍ଷେତ୍ରରେ ଆସ୍ଥା ଭୋଟରେ ଜିତିବା ପାଇଁ ସରକାରଙ୍କୁ ୧୩୭ ଜଣ ବିଧାୟକଙ୍କ ଭୋଟ ଆବଶ୍ୟକ।

ଅନ୍ୟପକ୍ଷରେ ଆଜିର ସ୍ଥିତିକୁ ଦେଖିଲେ ବାଚସ୍ପତିଙ୍କୁ ୧୬୪ଟି ଭୋଟ ମିଳିଛି। ୧୬ଟି ଭୋଟକୁ ବାଦଦେଲେ ମହାରାଷ୍ଟ୍ରରେ ସଂଖ୍ୟା ଗରିଷ୍ଠତା ଜିତି ସରକାର ଚଳାଇବା ପାଇଁ ୧୪୮ ଜଣ ସଦସ୍ୟ ରହୁଛନ୍ତି, ଯାହାକି ଆବଶ୍ୟକ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୩୭ଠାରୁ ୧୧ଟି ଅଧିକ। ଏପରିକି ଯଦି ୩୯ ଜଣ ଯାକ ବିଦ୍ରୋହୀ ବିଧାୟକଙ୍କୁ ବି ଅଯୋଗ୍ୟ ଘୋଷଣା କରାଯାଏ ତାହେଲେ ମଧ୍ୟ ବିଜେପି-ସିନ୍ଦେ ଗୋଷ୍ଠୀ ସରକାର ଆସ୍ଥା ଭୋଟରେ ବିଜୟୀ ହେବ। ୩୯ ବିଧାୟକ ଅଯୋଗ୍ୟ ହେଲେ ମ୍ୟାଜିକ ସଂଖ୍ୟା ୧୨୫କୁ କମିଯିବ। ତେଣୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନିକଟରେ ଆସ୍ଥା ଭୋଟରେ ସରକାରକୁ ଟଳାଇବା ପାଇଁ ଆବଶ୍ୟକ ଭୋଟ ନାହିଁ। ବାଚସ୍ପତି ନିର୍ବାଚନରେ ଏଆଇଏମଆଇଏମ ଓ ସମାଜପାର୍ଟି ଭୋଟ ଦେଇନାହାନ୍ତି। ଯଦି ଆସନ୍ତାକାଲି ସେମାନେ ଭୋଟ ଦିଅନ୍ତି ତାହେଲେ ମଧ୍ୟ ସିନ୍ଦେ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ଏମାନଙ୍କର ମୋଟ ୩ ଜଣ ବିଧାୟକ ଅଛନ୍ତି।

ନର୍ବେକର ମହାରାଷ୍ଟ୍ରର ସର୍ବକନିଷ୍ଠ ବାଚସ୍ପତି
ମୁମ୍ବାଇ : ବିଜେପି ବିଧାୟକ ରାହୁଲ ନର୍ବେକର ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ଭାବେ ଆଜି ଦାୟିତ୍ବ ନେଇଛନ୍ତି। ନର୍ବେକର ଏନ୍‌ସିପି ନେତା ରାମରାଜ‌ ନାଏକଙ୍କ ଜ୍ବାଇଁ। ୪୫ ବର୍ଷୀୟ ନର୍ବେକର ମହାରାଷ୍ଟ୍ରର ସର୍ବକନିଷ୍ଠ ବାଚସ୍ପତି। ଏପରିକି ସେ ଦେଶରେ ସର୍ବକନିଷ୍ଠ ବାଚସ୍ପତି ହୋଇଥାଇପାରନ୍ତି ବୋଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି। ମୁମ୍ବାଇର କୋଲାବା ବିଧାୟକ ନର୍ବେକର ପୂର୍ବରୁ ଶିବସେନା ଏବଂ ଏନ୍‌ସିପି ସହ ଜଡ଼ିତ ଥିଲେ। ସେ ଶିବସେନା ଯୁବଶାଖାର ମୁଖପାତ୍ର ଥିଲେ। ସେ ଏକ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଜଣେ କାଉନସିଲର ଥିଲେ। ୨୦୧୪ରେ ରାହୁଲ ଶିବସେନାରେ ଥିଲେ। ସେ ସମୟରେ ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହିଥିଲେ। କିନ୍ତୁ ତାଙ୍କୁ ଟିକେଟ ମିଳିନଥିଲା। ଏହାପରେ ସେ ଶିବସେନା ଛାଡ଼ି ଏନ୍‌ସିପିରେ ମିଶିଥିଲେ। ଏନ୍‌ସିପି ତାଙ୍କୁ ମଭଲ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ହାରିଥିଲେ। ଏହାପରେ ବିଜେପିରେ ଯୋଗ ଦେଲେ। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର