ବିଜେପି କୁକୁଡା ଲଢ଼େଇ କରୁଛି, ଜଣେ ମରିଗଲେ ଆଉ ଜଣଙ୍କୁ ମାରି ଶିବସେନାର ମୂଳପୋଛ କରିଦେବ: ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ମଧ୍ୟରେ ଉଦ୍ଧବ ଏବଂ ସିନ୍ଦେ ଦଳ ପରସ୍ପରକୁ ଦୋଷ‌ାରୋପ କରିବା ଜାରି ରଖିଛନ୍ତି। ଉଭୟ ପକ୍ଷ ନିଜକୁ ଶିବସେନାର ପ୍ରକୃତ ସୈନିକ ବୋଲି ପ୍ରମାଣ କରିବା ପାଇଁ ଗୋଟିଏ ପରେ ଗୋଟିଏ ଉଦ୍ୟମ କରିଚାଲିଛନ୍ତି। ଅନ୍ୟପକ୍ଷରେ ବିଧାୟକଙ୍କ ପରେ ସାଂସଦମାନେ ବିଦ୍ରୋହୀ ହେବାର ଚର୍ଚ୍ଚା ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ଏଭଳି ଅବସ୍ଥା ପାଇଁ ବିଜେପିକୁ ଦାୟୀ କରିଛନ୍ତି।

ଶିବସେନାର ଦୁଇ ପକ୍ଷ ଲଢ଼ୁଥିବା ଲଢ଼େଇକୁ କୁକୁଡ଼ା ଲଢ଼େଇ ସହ ତୁଳନା କରି ଉଦ୍ଧବ କହିଛନ୍ତି ଯେ, ବିଜେପି କୁକୁଡା ଲଢ଼େଇ କରୁଛି। ଏହି ଯୁଦ୍ଧରେ ଯେତେବେଳେ ଗୋଟିଏ କୁକୁଡ଼ା ମରିଯିବ, ସେ ଅନ୍ୟ କୁକୁଡ଼ାକୁ ମାରି ଶିବସେନାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବେ। ଏଭଳି କରିବା ପରେ ଯାଇ ବିଜେପିର ଇଚ୍ଛା ପୂରଣ ହେବ।

ଉଦ୍ଧବଙ୍କ ଅନୁଯାୟୀ, ମୋ ଦଳର କୌଣସି ସଦସ୍ୟ ବିଦ୍ରୋହୀ ନୁହଁନ୍ତି। ବିଜେପି ତାଙ୍କୁ ବିଭ୍ରାନ୍ତ କରି ମୋଠାରୁ ଅଲଗା କରିବାର କାର୍ଯ୍ୟ କରିଛି। ମୋ ଦଳର ନେତା ମୋ ହାତ ଛାଡ଼ିଥିବାରୁ ମୁଁ ଦୁଃଖିତ ନୁହଁ। ବରଂ ବିଜେପି ଶିବସେନାକୁ ଶେଷ କରିବା ପାଇଁ ଯେଉଁ ଯୋଜନା କରୁଛି, ସେ ବିଷୟରେ ଭାବି ମୁଁ ଦୁଃଖିତ।

ଅନ୍ୟପକ୍ଷରେ ବିଧାୟକଙ୍କ ପରେ ସାଂସଦ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଧାୟକଙ୍କ ପରେ ବର୍ତ୍ତମାନ ସାଂସଦମାନେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାକୁ ଯାଉଥିବା କୁହାଯାଉଛି। ଏଭଳି ଚର୍ଚ୍ଚା ମଧ୍ୟରେ ଆଜି ଉଦ୍ଧବଙ୍କ ସହ ଥିବା ୧୨ଜଣ ସାଂସଦଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦିଆଯାଇଛି। ଗତକାଲି ୧୨ଜଣ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ରାହୁଲ ଶେୱାଲେଙ୍କୁ ଜଣେ ନେତା ଭାବରେ ସ୍ୱୀକୃତି ଦେବାକୁ ଅନୁରୋଧ କରିଥିଲେ। ହେଲେ ବାଚସ୍ପତି ତାଙ୍କ ଚିଠି ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ତେବେ ଚିଠି ଲେଖିବା ପରେ ଏବେ ୧୨ଜଣ ସାଂସଦଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର