ଚନ୍ଦ୍ରପୁର : ମହାରାଷ୍ଟ୍ର ଦୁର୍ଗାପୁରର ଜଣେ ହାର୍ଡକୋର ଅପରାଧୀ ୩୨ ବର୍ଷୀୟ ମହେଶ ମେଶରମର ମୁଣ୍ଡ କାଟି ପ୍ରତିଦ୍ବନ୍ଦ୍ବୀ ଗୁଣ୍ଡମାନେ ସେଥିରେ ଫୁଟବଲ ଖେଳିଥିବାର ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସୋମବାର ରାତିରେ ଚନ୍ଦ୍ରପୁର-ଦୁର୍ଗାପୁର ରାସ୍ତାରେ।

Advertisment

ହତ୍ୟାକାରୀମାନେ ମହେଶର ମୁଣ୍ଡକାଟ କରିବା ପରେ ସେତିକିରେ ଚୁପ୍ ରହି ନ ଥିଲେ। କଟାମୁଣ୍ଡକୁ ଗୋଇଠା ମାରି ସେଥିରେ ୫୦ ମିଟର ଯାଏ ବଲ ଖେଳିଥିଲେ। ଏକ ଡଜନରୁ ଅଧିକ ଲୋକ ଏହି ଭୟାନକ ଦୃଶ୍ୟକୁ ଦେଖୁଥିଲେ। ପୁଲିସର କହିବା ଅନୁସାରେ ମହେଶ ବିରୋଧରେ ୨୦ରୁ ଅଧିକ ଆପରାଧିକ ମାମଲା ରହିଛି। ହତ୍ୟାକାରୀମାନଙ୍କ ସହ ୨୦୨୦ରୁ ତା’ର ଶତ୍ରୁତା ଥିଲା। ସୋମବାର ରାତି ୧୦ଟା ବେଳେ ସେ ଦୁର୍ଗାପୁର ରୋଡ୍‌ର ଇମଲି ବିୟର ବାର୍‌କୁ ମଦ ପିଇବାକୁ ଯାଇଥିଲା। ମଦ ପିଇସାରି ବାହାରକୁ ଆସି ନିଜ କାର୍‌ରେ ବସିବା ବେଳେ ଅନ୍ଧାରରେ ଲୁଚିଥିବା ୮ ଜଣ ଆକ୍ରମଣକାରୀ ପଛରୁ ଧାରୁଆ ଅସ୍ତ୍ରରେ ତାକୁ ଆକ୍ରମଣ କରିଥିଲେ। ମହେଶ ସେମାନଙ୍କ ସହ ଲଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶତ୍ରୁମାନେ ସଂଖ୍ୟାରେ ଅଧିକ ଥିବାରୁ ସେମାନଙ୍କୁ ପାରି ନ ଥିଲା। ଜଣେ ଧାରୁଆ ଅସ୍ତ୍ରରେ ତା’ ମୁଣ୍ଡକୁ କାଟି ଗଣ୍ଡିରୁ ଅଲଗା କରିଦେଇଥିଲା। ତା’ପରେ ମୁଣ୍ଡକୁ ଗୋଇଠା ମାରି ସେମାନେ ବଲ ଖେଳିଥିଲେ। ଏହି ମାମଲାରେ ପୁଲିସ ଦୁର୍ଗାପୁରର ଭାଗୀରଥି ଠାକୁର (୩୨) ଓ ଶୁଭମ୍ ମଲିଆ (୨୦)କୁ ଗିରଫ କରି କୋର୍ଟରେ ହାଜର କରାଇବା ପରେ ୪ ଦିନ ପାଇଁ ପୁଲିସ ହାଜତରେ ରଖିଛି। ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।