ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ଅଚଳାବସ୍ଥାର ଅନ୍ତ; ସମାଧାନର ସୂତ୍ର ବାହାର କଲେ ବିଜେପିର ଚାଣକ୍ୟ ଅମିତ ଶାହା

୫୦-୫୦ ନୁହେଁ, ବିଜେପି ଫର୍ମୂଲାରେ ଗଠନ ହେବ ସରକାର

ମୁମ୍ବାଇ: ଶେଷରେ ମହରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ବିଜେପି ଓ ଏହାର ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଛି। ବିଜେପିର ଚାଣକ୍ୟ ରୂପେ ଖ୍ୟାତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମାଧାନର ସୂତ୍ର ବାହାର କରିବା ପରେ ଉଭୟ ଦଳ ମଧ୍ୟରେ ବିବାଦର ଅନ୍ତ ଘଟିଥିବା ଜାଣିବାକୁ ମିଳିଛି।

ଚୂଡ଼ାନ୍ତ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୫୦-୫୦ ଫର୍ମୁଲାରେ ନୁହେଁ; ବରଂ ବିଜେପିର ଫର୍ମୁଲାରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବ। ଆଉ ପୂରା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ବିଜେପିର ଦେବେନ୍ଦ୍ର ଫଡ୍‌ନାବିସ୍‌।  ଗୃହ ଓ ନଗର ଉନ୍ନୟନ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ରହିବ ବିଜେପି ନିକଟରେ।

Hindustan

ତେବେ, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁତ୍ର ଆଦିତ୍ୟ ହେବେ ଫଡ୍‌ନାବିସ୍‌ଙ୍କ ମନ୍ତ୍ରିମଣ୍ଡଳରେ ଉପ-ମୁଖ୍ୟମନ୍ତ୍ରୀ। ସେହିପରି ଫଡ୍‌ନାବିସ୍‌ଙ୍କ ଗତ ମନ୍ତ୍ରିମଣ୍ଡଳରେ ଶିବସେନାର ୧୨ ଜଣ ମନ୍ତ୍ରୀ ରହିଥିବା ବେଳେ ନୂତନ ମନ୍ତ୍ରିମଣ୍ଡଳରେ ସେମାନଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇବ। ଏଥିସହ କେନ୍ଦ୍ରର ମୋଦୀ-୨ କ୍ୟାବିନେଟରେ ଶିବସେନାକୁ ଆଉ ଗୋଟିଏ ମନ୍ତ୍ରୀ ପଦ ମଧ୍ୟ ପ୍ରଦାନ କରାଯିବ।

ସରକାର ଗଠନ ପାଇଁ ଏହି ସମାଧାନର ସୂତ୍ରରେ ଶିବସେନା ରାଜି ହେବା ପରେ ମହାରାଷ୍ଟ୍ରର ନବ ନିର୍ବାଚିତ ବିଜେପି ବିଧାୟକ ଦଳର ବୈଠକ ବସି ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ବିଜେପି ବିଧାୟକ ଦଳର ନୂତନ ନେତା ରୂ‌େପ ନିର୍ବାଚିତ କରାଯାଇଛି। ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ନବ ନିର୍ବାଚିତ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ୍‌ନାବିସ୍‌ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର