ମୁମ୍ବାଇ : ମହାରାଷ୍ଟ୍ରର ସତାରା ଜିଲ୍ଲାର ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ନୂଆ ତଥ୍ୟ ସାମନାକୁ ଆସିଛି। ଉକ୍ତ ମହିଳା ଡାକ୍ତର କେବଳ ପୁଲିସ ଦ୍ବାରା ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇନାହାନ୍ତି, ଜଣେ ସାଂସଦ ମଧ୍ୟ ତାଙ୍କ ଉପରେ ଚାପ ପକାଇଥିଲେ। ଡାକ୍ତରଙ୍କର ଜଣେ ସମ୍ପର୍କୀୟ ପୂର୍ବରୁ ଦାବି କରିଥିଲେ ଯେ ଅସ୍ବାଭାବିକ ମୃତ୍ୟୁ ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପରିବର୍ତ୍ତନ ପାଇଁ ଏବଂ ଗିରଫ ବ୍ୟକ୍ତିମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ୍ ଅଣାଯିବା ସମୟରେ ସେମାନଙ୍କ ରିପୋର୍ଟ ପରିବର୍ତ୍ତନ ପାଇଁ ପୀଡ଼ିତାଙ୍କ ଉପରେ ଅନେକ ସମୟରେ ଚାପ ପକାଯାଇଥାଏ। ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ସତାରା ପୁଲିସ ଯଦି କୌଣସି ଅଭିଯୁକ୍ତକୁ ଗିରଫ କରି ମେଡିକାଲ ପରୀକ୍ଷା ପାଇଁ ରାତିରେ ହସ୍ପିଟାଲ୍ ଆଣେ ଏବଂ ପୀଡ଼ିତା ଡାକ୍ତର ଯଦି ସେ ସମୟରେ ଡ୍ୟୁଟିରେ ଥାନ୍ତି ତେବେ ସେ ଅଭିଯୁକ୍ତ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ସୁଦ୍ଧା ତାଙ୍କୁ ଅସୁସ୍ଥ ଘୋଷଣା କରିବାକୁ ବାଧ୍ୟ ହୋଇଥାନ୍ତି ଏବଂ ହସ୍ପିଟାଲରେ ଭର୍ତ୍ତି କରାନ୍ତି।
ସୂଚନାନୁଯାୟୀ ୩ରୁ ୪ ଥର ଏମିତି ଘଟିଥିଲା। ଯାହାପରେ ପୁଲିସ ଜିଲ୍ଲା ମେଡିକାଲ ପରିଷଦରେ ଏନେଇ ଅଭିଯୋଗ କରିବାପରେ ପରିଷଦ ପକ୍ଷରୁ ଡାକ୍ତରଙ୍କଠାରୁ ଜବାବ ମଗାଯାଇଥିଲା। ୪ ପୃଷ୍ଠାର ଲିଖିତ ଜବାବରେ ଡାକ୍ତର କହିଥିଲେ ଯେ ସେ ଜଣେ ସାଂସଦଙ୍କଠାରୁ ଫୋନ୍ ପାଇଥିଲେ ଯିଏ ତାଙ୍କୁ ମେଡିକାଲ ରିପୋର୍ଟ ବଦଳାଇବା ପାଇଁ ଚାପ ପକାଉଥିଲେ। ତେବେ ଏହି ଜବାବରେ ସେ ସାଂସଦଙ୍କ ନାଁ ଲେଖିନଥିଲେ। ଡାକ୍ତର ଦର୍ଶାଇଥିଲେ ଯେ ସାଂସଦଙ୍କର ୨ ସହଯୋଗୀ ହସ୍ପିଟାଲ ଆସି ତାଙ୍କୁ ଭୁଲ୍ ରିପୋର୍ଟ ଦେବାପାଇଁ କହୁଥିଲେ।
ଉଲ୍ଲେଖଯୋଗ୍ୟ, ଆତ୍ମହତ୍ୟା କରିଥିବା ୨୮ ବର୍ଷୀୟା ଡାକ୍ତର ହେଉଛନ୍ତି ବିଡ୍ ଜିଲ୍ଲାର। ଫଲଟନର ଏକ ସରକାରୀ ହସ୍ପିଟାଲରେ ତାଙ୍କର ପୋଷ୍ଟିଂ ହୋଇଥିଲା। ବାରମ୍ବାର ନିର୍ଯାତନାର ଶିକାର ହେବାପରେ ସେ ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ସେ ତାଙ୍କ ହାତ ପାପୁଲିରେ ଏକ ସୁଇସାଇଡ ନୋଟ୍ ଲେଖିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/untitled-18-2025-10-26-06-30-12.jpg)