ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ମହାୟୁତି ମେଣ୍ଟ ୨୮୮ ବିଧାନସଭା ଆସନରୁ ୨୩୦ଟି ଆସନ ହାସଲ କରି ପ୍ରଚଣ୍ଡ ବିଜୟ ହାସଲ କରିଛି । ଅନ୍ୟପକ୍ଷରେ ମହାବିକାଶ ଆଘାଡି (କଂଗ୍ରେସ, ଶିବସେନା ୟୁବିଟି, ଏନସିପି ଶରଦ ପାୱାର) ୫୦ରୁ କମ୍ ଆସନ ହାସଲ କରିଛି। କିନ୍ତୁ ଏହି ଶୋଚନୀୟ ପରାଜୟକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ଶିବସେନା (ୟୁବିଟି) ନେତା ସଂଜୟ ରାଉତ।
ଏଭଳି ସମୟରେ ମହାରାଷ୍ଟ୍ରରୁ ଏକ ଭିଡିଓ ଭାଇରଲ ହୋଇଛି। ଏହି ଭିଡିଓରେ ହ୍ୟାକର ଦାବି କରୁଛି କି ସେ ଇଭିଏମକୁ ହ୍ୟାକ କରି ଯେଉଁ ଦଳକୁ ଚାହିଁବ ସେହି ଦଳର ଫଳାଫଳ ସଂଖ୍ୟା ବୃଦ୍ଧି କରିପାରିବ। ଏହି ଭିଡିଓକୁ ଅନେକ ରାଜନେତା ନିଜନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ଇଭିଏମ ହ୍ୟାକ କରିବା ପାଇଁ ଦାବି କରୁଥିବା ହ୍ୟାକର ଆମେରିକାର ବାସିନ୍ଦା ଥିବା ବେଳେ ନାମ ତାର ସୈୟଦ ଭୁଜା ବୋଲି ଜଣାପଡ଼ିଛି। ଆମେରିକୀୟ ପ୍ରତିରକ୍ଷା ବିଭାଗର ଟେକନିକ ବ୍ୟବହାର କରି ଇଭିଏମ ହ୍ୟାକ କରିବା ପାଇଁ ସୈୟଦ ୫୪ କାଟି ଟଙ୍କା ଦାବି କରିଛି।
ଏହି ଘଟଣାକୁ ଗମ୍ଭୀରତା ସହ ନେଇ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ବୟାନ ଜାରି କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଆୟୋଗ ଦାବି କରି କହିଛନ୍ତି, ‘ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ଦେଖିବାକୁ ମିଳୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।