ମୁମ୍ବାଇ: ଜବରଦସ୍ତି ନବବିବାହିତା ମହିଳାମାନଙ୍କର କୁମାରୀତ୍ୱ ପରୀକ୍ଷା କରାଇବା ପ୍ରଥାକୁ ଖୁବ୍ ଶୀଘ୍ର ଦଣ୍ଡନୀୟ ଅପରାଧ ଭାବେ ଘୋଷଣା କରିବାକୁ ଯାଉଛନ୍ତି ବୋଲି ବୁଧବାର ଦିନ ମହାରାଷ୍ଟ୍ର ସରକାର କହିଛନ୍ତି।
ବିବାହ ପୂର୍ବରୁ ସେ କୁମାରୀ ଥିଲେ ବୋଲି ଏଇ ପ୍ରଥା ଅନୁସରଣ କରୁଥିବା ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଜଣେ ନବବିବାହିତା ନାରୀଙ୍କୁ ପ୍ରମାଣ କରିବାକୁ ପଡ଼େ।
ରାଜ୍ୟ ଗୃହମନ୍ତ୍ରୀ ରଞ୍ଜିତ ପାଟିଲ୍ ଏ ସଂକ୍ରାନ୍ତରେ କେତେକ ସାମାଜିକ ସଂଗଠନର ପ୍ରତିନିଧିଙ୍କ ସହ ବୁଧବାର ଦିନ ସାକ୍ଷାତ୍ କରିଥିଲେ।
ଶିବସେନା ମୁଖପାତ୍ର ନୀଲମ୍ ଗୋରେ ମଧ୍ୟ ଏହି ପ୍ରତିନିଧି ଦଳରେ ସାମିଲ୍ ହୋଇଥିଲେ।
କୁମାରୀତ୍ୱ ପରୀକ୍ଷାକୁ ଏକ ପ୍ରକାରର ଯୌନ ଉତ୍ପୀଡ଼ ଭାବେ ବିବେଚନା କରାଯିବ। ଆଇନ ଓ ବିଚାର ବିଭାଗ ସହ ପରାମର୍ଶ କରିବା ପରେ ଏହାକୁ ଦଣ୍ଡନୀୟ ଅପରାଧ ଘୋଷଣା କରି ଏକ ସର୍କୁଲାର୍ ଜାରି କରାଯିବ ବୋଲି ପରେ ମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି।
ଏଭଳି ସମ୍ମାନହାନୀକାରୀ ପ୍ରଥା କଞ୍ଜରଭଟ ଭଳି କେତେକ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳନ ହେଉଛି। ଏହା ବିରୋଧରେ ଉକ୍ତ ସମ୍ପ୍ରଦାୟର କେତେକ ଯୁବକ ଅନ୍ଲାଇନ୍ରେ ଅଭିଯାନ ଚଳାଇଛନ୍ତି।