ଗୁଜରାଟୀ, ରାଜସ୍ଥାନ ବାସିନ୍ଦାଙ୍କୁ ହଟାଗଲେ ମୁମ୍ବାଇ ଆର୍ଥିକ ରାଜଧାନୀ ମାନ୍ୟତା ହରାଇବ; ଏଭଳି କହିଥିବାରୁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ: କିଛି ଦିନ ତଳେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ। ରାଜ୍ୟପାଳ କହିଥିଲେ ଯେ, ଯଦି ଗୁଜୁରାଟୀ ଏବଂ ରାଜସ୍ଥାନବାସୀଙ୍କୁ ମୁମ୍ବାଇରୁ ହଟାଇ ଦିଆଯାଏ, ତେବେ ସହରରେ ନା ଟଙ୍କା ରହିବ ନାଁ ମୁମ୍ବାଇ ପାଖରେ ଦେଶର ଅର୍ଥନୈତିକ ରାଜଧାନୀର ମାନ୍ୟତା। ତାଙ୍କର ଏଭଳି ବିବୃତିକୁ ବ୍ୟାପକ ବିରୋଧ କରାଯାଇଥିବା ବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜେ ଏହାକୁ ବିରୋଧ କରିଥିଲେ।

ସମସ୍ତ ରାଜନୈତିକ ଦଳର ବିରୋଧକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୋଶୟାରୀ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। କ୍ଷମା ପ୍ରାର୍ଥନ କରି ସେ କହିଛନ୍ତି ଯେ, ଜୁଲାଇ ୨୯ରେ ଏକ ସାଧାରଣ କାର୍ଯ୍ୟକ୍ରମରେ ମୁମ୍ବାଇର ବିକାଶରେ କିଛି ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରି ମୁଁ ଏକ ଭୁଲ କରିଥିଲି। କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଭାରତର ବିକାଶରେ ସମସ୍ତଙ୍କର ବିଶେଷ ଅବଦାନ ରହିଛି। ବିଶେଷ କରି ସମ୍ପୃକ୍ତ ରାଜ୍ୟର ଉଦାରତା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇଯିବାର ଉଜ୍ଜ୍ୱଳ ପରମ୍ପରା ଯୋଗୁଁ ଆଜି ଦେଶ ପ୍ରଗତି ଆଡ଼କୁ ଗତି କରୁଛି। ମୁଁ ନିଶ୍ଚିତ ଯେ ମହାରାଷ୍ଟ୍ରର ଲୋକମାନେ ମୁଁ ଦେଇଥିବା ମନ୍ତବ୍ୟ ପାଇଁ ମୋତେ କ୍ଷମା କରିବେ।

ଉଲ୍ଲେଖଯୋଗ୍ୟ, ଅନ୍ଧେରୀରେ ଏକ ଉତ୍ସବରେ ଯୋଗ ଦେଇ କୋଶୟାରୀ କହିଥିଲେ-‘ମୁଁ ଏଠାରେ ଲୋକମାନଙ୍କୁ ଏହା କହୁଛି ଯେ ଯଦି ଗୁଜରାଟୀ ଏବଂ ରାଜସ୍ଥାନବାସୀଙ୍କୁ ମହାରାଷ୍ଟ୍ରରୁ ଏବଂ ବିଶେଷ କରି ମୁମ୍ବାଇ ଓ ଥାନେରୁ ହଟାଯିବ ତେବେ ତୁମ ପାଖରେ ଆଉ ଟଙ୍କା ରହିବ ନାହିଁ ଏବଂ ମୁମ୍ବାଇ ମଧ୍ୟ ଆଉ ‌ଦେଶର ଆର୍ଥିକ ରାଜଧାନୀ ହୋଇ ରହିବ ନାହିଁ। ରାଜ୍ୟ କଂଗ୍ରେସ ମୁଖପାତ୍ର ଅତୁଲ ଲୋଧେ କୋଶୟାରୀଙ୍କ ଟିପ୍ପଣୀ ପାଇଁ ତାଙ୍କୁ ସମାଲୋଚନା କରିବା ସହ ସେ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର