ବିବାଦରେ ମହାରାଷ୍ଟ୍ର ରାଜ୍ୟପାଳ: ‘ଗୁଜରାଟୀ, ରାଜସ୍ଥାନ ବାସିନ୍ଦାଙ୍କୁ ହଟାଗଲେ ମୁମ୍ବାଇ ଆର୍ଥିକ ରାଜଧାନୀ ମାନ୍ୟତା ହରାଇବ’

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି, ଯଦି ମହାରାଷ୍ଟ୍ରରୁ ଏବଂ ବିଶେଷ କରି ମୁମ୍ବାଇ ଓ ଥାନେରୁ ଗୁଜରାଟୀ ରାଜସ୍ଥାନ ବାସିନ୍ଦାଙ୍କୁ ହଟାଯାଏ ତେବେ ରାଜ୍ୟରେ ଆଉ ଟଙ୍କା ରହିବନି। ମୁମ୍ବାଇ ମଧ୍ୟ ଦେଶର ଆର୍ଥିକ ରାଜଧାନୀ ମାନ୍ୟତା ହରାଇଦେବ। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କୋଶୟାରୀ ଏଭଳି ଟିପ୍ପଣୀ ଦେଇଛନ୍ତି। ତେବେ କୋଶୟାରୀଙ୍କ ଏହି ଟିପ୍ପଣୀକୁ ବିରୋଧୀ ଦଳ ନେତାମାନେ ଜୋରଦାର ବିରୋଧ କରିଛନ୍ତି। କଂଗ୍ରେସ, ଶିବସେନା ଏବଂ ଏନ୍‌ସିପି କୋଶୟାରୀଙ୍କ ଟିପ୍ପଣୀକୁ ସମା‌ଲୋଚନା କରିବା ସହ ତାଙ୍କଠାରୁ ତୁରନ୍ତ କ୍ଷମା ଏବଂ ଇସ୍ତଫା ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଅନ୍ଧେରୀରେ ଏକ ଉତ୍ସବରେ ଯୋଗ ଦେଇ କୋଶୟାରୀ କହିଥିଲେ-‘ମୁଁ ଏଠାରେ ଲୋକମାନଙ୍କୁ ଏହା କହୁଛି ଯେ ଯଦି ଗୁଜରାଟୀ ଏବଂ ରାଜସ୍ଥାନବାସୀଙ୍କୁ ମହାରାଷ୍ଟ୍ରରୁ ଏବଂ ବିଶେଷ କରି ମୁମ୍ବାଇ ଓ ଥାନେରୁ ହଟାଯିବ ତେବେ ତୁମ ପାଖରେ ଆଉ ଟଙ୍କା ରହିବ ନାହିଁ ଏବଂ ମୁମ୍ବାଇ ମଧ୍ୟ ଆଉ ‌ଦେଶର ଆର୍ଥିକ ରାଜଧାନୀ ହୋଇ ରହିବ ନାହିଁ। ରାଜ୍ୟ କଂଗ୍ରେସ ମୁଖପାତ୍ର ଅତୁଲ ଲୋଧେ କୋଶୟାରୀଙ୍କ ଟିପ୍ପଣୀ ପାଇଁ ତାଙ୍କୁ ସମାଲୋଚନା କରିବା ସହ ସେ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ‌କୋଶୟାରୀଙ୍କୁ ସମାଲୋଚନା କରିଛନ୍ତି। ନାନା ପାଟୋଲ କହିଛନ୍ତି, କୋଶୟାରୀଙ୍କ ଟିପ୍ପଣୀକୁ ଆମେ କଡ଼ା ଭାଷାରେ ନିନ୍ଦା କରୁଛୁ। ବିବାଦ ବଢ଼ିବା ପରେ ରାଜ୍ୟପାଳ କହିଛନ୍ତି ଯେ ତାଙ୍କ ବୟାନର ଭୁଲ ବ୍ୟାଖ୍ୟା କରି ଅଯଥା ବିବାଦ ସୃଷ୍ଟି କରାଯାଉଛି।

ସମ୍ବନ୍ଧିତ ଖବର