ମହାରାଷ୍ଟ୍ରରେ ମହାନାଟକ : ସରକାର ଗଠନରୁ ଓହରିଲା ବିଜେପି, ଶିବସେନାକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

ସମର୍ଥନ ପାଇଁ ଠାକରେଙ୍କୁ ପାୱାରଙ୍କ ସର୍ତ

ମୁମ୍ବାଇ : ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବାର ୧୭ ଦିନ ପରେ ବି ରାଜନୈତିକ ସଙ୍କଟ ଜାରି ରହିଛି ଏବଂ ସରକାର ଗଠନ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳୁନାହିଁ। ନିର୍ବାଚନ ପୂର୍ବରୁ ମେଣ୍ଟ କରି ବିଜୟୀ ହୋଇଥିବା ବିଜେପି ଏବଂ ଶିବ ସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସର୍ବାଧିକ ଆସନ ଜିତିଥିବା ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ ମଧ୍ୟ ଏହି ଦଳ ଅସମର୍ଥତା ପ୍ରକାଶ କରିଛି। ଏବେ ଶିବ ସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ରାଜ୍ୟପାଳ। କାଲି ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଶିବ‌ ସେନାର ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି ରାଜ୍ୟପାଳ। ତେବେ ୨୮୮ ଆାସନ ବିଶିଷ୍ଟ ବିଧାନସଭାରେ ଶିବ‌ ସେନାକୁ ମାତ୍ର ୫୮ଟି ଆସନ ମିଳିଥିବାରୁ ଆଉ ୮୭ ସଭ୍ୟଙ୍କ ସମର୍ଥନ କେଉଁଠୁ ଆଣିବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ନିର୍ବାଚନରେ ବିଜେପି ୧୦୫ ଆସନ ଦଖଲ କରି ସବୁଠାରୁ ବଡ଼ ଦଳର ମାନ୍ୟତା ପାଇଥିବାରୁ ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏହାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଆଜି ଦିନ ତମାମ ରାଜ୍ୟପାଳଙ୍କ ଆମନ୍ତ୍ରଣ ଉପରେ ମନ୍ଥନ ହେବାପରେ ଦଳ ସରକାର ଗଠନ କରିବା ପାଇଁ ବହୁମତ ନଥିବା ରାଜ୍ୟପାଳଙ୍କୁ ଜଣାଇ ଦେଇଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଅନ୍ୟ ବରିଷ୍ଠ ନେତାମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ କହିଥିଲେ ଯେ ଶିବସେନା ସହିତ ମେଣ୍ଟ କରି ବିଜେପି ନିର୍ବାଚନ ଲଢ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶିବସେନାର ସମର୍ଥନ ମିଳିଲା ନାହିଁ। ତେଣୁ ବିଜେପି ପାଖରେ ଏବେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ନାହିଁ। ଏହାପରେ ରାଜ୍ୟପାଳ ଶିବସେନା ବିଧାୟକ ଦଳର ନେତା ଏକନାଥ ଖଡ଼ସେଙ୍କୁ ସରକାର ଗଠନ ନେଇ ଆଭିମୁଖ୍ୟ ରଖିବାକୁ କହିଛନ୍ତି। ଶିବସେନା ରାଜ୍ୟରେ ସରକାର ଗଠନ କରିବାକୁ ଆଗ୍ରହୀ ଅଛି କି ନାହିଁ ସେ ସଂପର୍କରେ ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ପଷ୍ଟ କରିବାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଶିବସେନା ଦ୍ବିତୀୟ ବଡ଼ ଦଳ ହୋଇଥିବାରୁ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ଶିବସେନା ଏନ୍‌ସିପି ସମର୍ଥନରେ ସରକାର ଗଠନ କରିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ରାଜ୍ୟପାଳ ଗତକାଲି ସରକାର ଗଠନ ପାଇଁ ବିଜେପିକୁ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଆଜି ରାଜ୍ୟ ବିଜେପି ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସଙ୍କ ବାସଭବନରେ ଦୁଇଟି ପର୍ଯ୍ୟାୟରେ ବୈଠକ କରିଥିଲେ। ଏହି ସମୟ ମଧ୍ୟରେ ଶିବସେନା ସହ ଆଲୋଚନା କରି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବା ପାଇଁ ପ୍ରୟାସ ହୋଇଥିଲା। କିନ୍ତୁ ଶିବସେନା ନିଜର ପୂର୍ବ ଜିଦ୍‌ରେ ଅଟଳ ରହିଥିଲା ଏବଂ ସେନାରୁ ମୁଖ୍ୟମନ୍ତ୍ରୀ ହେଲେ ହିଁ ବିଜେପି ସହ ମେଣ୍ଟ ସରକାର ଗଠନ ହେବ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲା। ଏହାପରେ ଅପରାହ୍ନ ୪ଟା ବେଳେ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ରାଜ୍ୟପାଳଙ୍କୁ ଆଜି ସନ୍ଧ୍ୟାରେ ହିଁ ନିଷ୍ପତ୍ତି ଜଣାଇ ଦିଆଯିବ ବୋଲି ସ୍ଥିର ହୋଇଥିଲା। ବିଜେପି ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଭୂପେନ୍ଦ୍ର ଯାଦବ ବୈଠକରେ ଯୋଗ ଦେଇଥିଲେ ଏବଂ ସରକାର ଗଠନ ନେଇ ଦଳ କେନ୍ଦ୍ରୀୟ ନେତୃତ୍ବର ଆଭିମୁଖ୍ୟ ମଧ୍ୟ ରଖିଥିଲେ।

ବିଜେପି ସରକାର ଗଠନ କରିବ ନାହିଁ ବୋଲି ରାଜ୍ୟପାଳଙ୍କୁ ନିଷ୍ପତ୍ତି ଜଣାଇବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ବିଜେପି-ଶିବସେନା ମେଣ୍ଟକୁ ସରକାର ଗଠନ ପାଇଁ ଜନାଦେଶ ମିଳିଥିଲା। କିନ୍ତୁ ଶିବସେନା ଏହି ଜନାଦେଶକୁ ସମ୍ମାନ ଦେଇନାହିଁ। ଜନମତକୁ ଅପମାନିତ କରି ଶିବସେନା ବିଭ୍ରାନ୍ତି ସୃଷ୍ଟି କରିଛି। କଂଗ୍ରେସ-ଏନ୍‌ସିପି ସହ ମିଶି ଶିବସେନା ସରକାର ଗଠନ କଲେ ଆମେ ସେମାନଙ୍କୁ ଶୁଭେଚ୍ଛା ଜଣାଇବୁ ବୋଲି ପାଟିଲ କହିଛନ୍ତି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ୨୪ ଅକ୍ଟୋବରରେ ଘୋଷଣା ହୋଇଥିଲା ଏବଂ ବିଜେପି-ଶି‌ବସେନା ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଗଠନ ହୋଇପାରି ନାହିଁ। ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦ୍‌ ଧରି ରହିଛି ଏବଂ ବିଜେପି ଏହାକୁ ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ରାଜ୍ୟରେ ଶିବସେନାକୁ ୫୬, ଏନ୍‌ସିପିକୁ ୫୪ ଏବଂ କଂଗ୍ରେସକୁ ୪୪ ଆସନ ମିଳିଛି।

ଇତିମଧ୍ୟରେ ଶିବ ସେନାକୁ ସମର୍ଥନ ଦେବାଲାଗି ଶରଦ ପାୱାରଙ୍କ ଏନସିପି ସର୍ତ ଆରୋପ କରିଛି। ଦଳର ବରିଷ୍ଠ ନେତା ନୱ‌ାବ ମଲିକ କହିଛନ୍ତି ଯେ ଏନଡିଏରୁ ଶିବ ସେନା ଓହରିଲେ ତାଙ୍କ ପାର୍ଟି ସମର୍ଥନ ଜଣାଇବ।

ସମ୍ବନ୍ଧିତ ଖବର