ବିବାଦୀୟ ଆଇପିଏସ୍‌ ଅଧିକାରୀ ପରମବୀର ସିଂଙ୍କୁ ନିଲମ୍ବନ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ହୋମଗାର୍ଡ ଡିଜି ଏବଂ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌  ପରମବୀର ସିଂହଙ୍କୁ ପଦରୁ ନିଲମ୍ବନ କରିଛନ୍ତି ମହାରାଷ୍ଟ୍ର ସରକାର। ଦୀର୍ଘଦିନ ଧରି କୌଣସି ସୂଚନା ନ ଦେଇ କାର୍ଯ୍ୟ‌ରେ ଯୋଗ ନ ଦେବା ଏବଂ ବିନା ଅନୁମତିରେ ହେର୍ଡକ୍ବାର୍ଟର ଛାଡ଼ିବ‌ା ଆଦି ଅନିୟମିତ କାର୍ଯ୍ୟ କରିଥିବା ଅଭିଯୋଗରେ ଏହି ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପରମବୀର ସିଂହଙ୍କ ଉପରେ ଆଇଏଏସ୍‌ ଅଧିକାରୀ ଦେବାଶିଷ ଚକ୍ରବର୍ତ୍ତୀ ଦେଇଥିବା ରିପୋର୍ଟକୁ ମହାରା‌ଷ୍ଟ୍ର ସରକାର ଗ୍ରହଣ କରିଛନ୍ତି। ସିଂହ ଉଲ୍ଲଂଘନ କରିଥିବା ‘ଅଲ୍‌ଇଣ୍ଡିଆ ସିଭିଲ୍‌ ସର୍ଭିସ୍‌ ରୁଲ୍‌ସ୍‌’ ଘଟଣାର ତଦନ୍ତ ଶ୍ରୀ ଚକ୍ରବର୍ତ୍ତୀ କରିଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିଲମ୍ବନ ଫାଇଲ୍‌ରେ ସ୍ବାକ୍ଷର କରିସାରିଥିଲେ  ଏବଂ ଆଜି ନିଲମ୍ବନ ଆଦେଶନାମା ଜାରି କରାଯାଇଛି।

ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା ପାଇଁ ଯଥାଶୀଘ୍ର ପରମବୀର ସିଂହଙ୍କୁ ନିଲମ୍ବନ କରାଯିବ ବୋଲି ପୂର୍ବରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲ୍‌ସେ-ପାଟିଲ୍‌ କହିଥିଲେ। ସେ କହିଥିଲେ, ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ପରମବୀର ସିଂହଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା ଚଳାଇଛୁ। ଶାସନଗତ ଖିଲାପ ସଂକ୍ରାନ୍ତରେ ମଧ୍ୟ ମହାରାଷ୍ଟ୍ର ଗୃହ ବିଭାଗ ପରମବୀର ସିଂହଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର