ନୂଆଦିଲ୍ଲୀ: ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ନିର୍ବାଚନରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀ ଏବଂ ଏମ୍ଭିଏ ମେଣ୍ଟକୁ ବଡ଼ ସଫଳତା ମିଳିଛି। ନିର୍ବାଚନରେ ବିଜେପି ଏକକ ବୃହତ୍ତମ ଦଳ ହୋଇଛି । କିନ୍ତୁ ଏମ୍ଭିଏ ମେଣ୍ଟ ଏନ୍ଡିଏ ମେଣ୍ଟକୁ ପଛରେ ପକାଇ ଦେଇଛି। ବିଜେପି-ବାଲାସାହେବାଞ୍ଚି ଶିବସେନାର ସଂଖ୍ୟାକୁ ଠାକ୍ରେଙ୍କ ନେତୃତ୍ବାଧୀନ ଶିବସେନା, ଏନ୍ସିପି ଏବଂ କଂଗ୍ରେସର ସଂଖ୍ୟା ଟପିଯାଇଛି। ମହାରାଷ୍ଟ୍ରର ୧୮ ଜିଲ୍ଲାରେ ୧୧୬୫ ଗ୍ରାମ ପଞ୍ଚାୟତ ନିର୍ବାଚନ ହୋଇଥିଲା।
ଥାନେ, ପଲଘର, ନନ୍ଦୁରବର, ନାଶିକ, ରାୟଗଡ଼, ରତ୍ନଗିରି, ସିନ୍ଧୁଦୁର୍ଗ, ପୁନେ, ସତରା, କୋହ୍ଲାପୁର, ଭଣ୍ଡାରା, ଗୋଣ୍ଡିଆ, ଅମରାବତୀ, ଗଡ଼ଚିରୋଲି, ନାଗପୁର, ୱାଶିମ, ୱାର୍ଦ୍ଧା ଏବଂ ଚନ୍ଦ୍ରପୁରରେ ଭୋଟର ମାନେ ସେମାନଙ୍କ ଭୋଟ୍ ଦେଇଥିଲେ। ୧୧୫ ଗ୍ରାମ ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ବାକି ୧୦୫୦ ଗ୍ରାମ ପଞ୍ଚାୟତ ଆସନ ପାଇଁ ନିର୍ବାଚନ ଫଳାଫଳ ସୋମବାର ସନ୍ଧ୍ୟାରେ ଘୋଷଣା ହୋଇଥିଲା। ଦୁଇ ସେନା ଗୋଷ୍ଠୀ ଶିବସେନାର ବାସ୍ତବ ଚିହ୍ନ ପାଇଁ ଲଢ଼େଇ କରୁଥିବା ବେଳେ ଏଭଳି ସମୟରେ ଏହି ନିର୍ବାଚନ ବେଶ୍ ଗୁରୁତ୍ବ ବହନ କରୁଛି। ଦଳମାନଙ୍କ ଦ୍ବାରା ହୋଇଥିବା ଦାବି ଅନୁଯାୟୀ ଏମ୍ଭିଏ ୪୫୭ ଗ୍ରାମ ପଞ୍ଚାୟତ ଆସନରେ ନିର୍ବାଚନ ଜିତିଛି।
ଏମ୍ଭିଏ ମେଣ୍ଟରେ ଏନ୍ସିପି ସର୍ବାଧିକ ୧୫୫ ଆସନରେ ବିଜୟୀ ହୋଇଛି ଏବଂ ଉଦ୍ଧବଙ୍କ ନେତୃତ୍ବାଧୀନ ଶିବସେନାକୁ ୧୫୩ ଆସନ ମିଳିଛି ଏବଂ କଂଗ୍ରେସକୁ ୧୪୯ ଗ୍ରାମ ପଞ୍ଚାୟତ ଆସନ ମିଳିଛି। ଅନ୍ୟପକ୍ଷେ ବିଜେପି ଏବଂ ଏହାର ସହଯୋଗୀ ମେଣ୍ଟ ୩୫୨ ଆସନରେ ବିଜୟୀ ହୋଇଛି। ବିଜେପିକୁ ୨୩୯ ଆସନ ମିଳିଥିବା ବେଳେ ବାଲାସାହେବାଞ୍ଚି ଶିବସେନାକୁ ୧୧୩ ଆସନ ମିଳିଛି। ଅନ୍ୟପକ୍ଷେ ସ୍ଥାନୀୟ ମେଣ୍ଟ ଏବଂ ଅନ୍ୟମାନେ ୨୪୧ ଆସନରେ ଜିତିଛନ୍ତି। କିନ୍ତୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ବିଜେପି-ସିନ୍ଦେ ମେଣ୍ଟକୁ ୩୯୭ ଆସନ ମିଳିଛି।