ମହାରାଷ୍ଟ୍ର-ଗୁଜରାଟରେ ସର୍ବାଧିକ ଆକ୍ରାନ୍ତ, ୨୪ ଘଣ୍ଟାରେ ଦେଶବ୍ୟାପୀ ୧୪ ଶହ ନୂଆ ମାମଲା

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଏବଂ ସାମାଜିକ ଦୂରତ୍ବ ସତ୍ତ୍ବେ କରୋନା ଭାଇରସ୍‌ ସଂକ୍ରମଣ ପ୍ରତିଦିନ ବଢ଼ି ଚାଲିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୨୧୭୦୦ରେ ପହଞ୍ଚିଛି। ଗତକାଲି ଏହି ସଂଖ୍ୟା ୧୯୮୯୪ରେ ଥିଲା। ମହାରାଷ୍ଟ୍ର ପରେ ଏବେ ଗୁଜରାଟରେ ସର୍ବାଧିକ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ୫୬୦୦ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ଏହା ପଛକୁୁ ଗୁଜରାଟରେ ଏ ପର୍ଯ୍ୟନ୍ତ ୨୪୦୭ ଲୋକ ଆକ୍ରାନ୍ତ ହୋଇଛନ୍ତି। ଗୁଜରାଟରେ ସଂକ୍ରମଣ ଅନ୍ୟ ରାଜ୍ୟ ତୁଳନାରେ ବଢ଼ୁଥିବାରୁ ସମସ୍ତ ହଟ୍‌ସ୍ପଟ୍‌ ଅଂଚଳର ସୁରକ୍ଷା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ସମୀକ୍ଷା କରିଛନ୍ତି। ଦେଶରେ ଏ ପର୍ଯ୍ୟନ୍ତ କରୋନାରେ ୬୮୬ ଜଣ ପ୍ରାଣ ହରାଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୨୬୯ ଜଣଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ୧୦୩ ଜଣ, ମଧ୍ୟପ୍ରଦେଶରେ ୮୦, ଦିଲ୍ଲୀରେ ୪୮, ରାଜସ୍ଥାନରେ ୨୭, ଆନ୍ଧ୍ରପ୍ରଦେଶରେ ୨୪ ଏବଂ ତେଲେଙ୍ଗାନାରେ ୨୩ ଜଣ ପ୍ରାଣ ହରାଇଛନ୍ତି। ଭାରତରେ ମୋଟ ୭୭ ଜଣ ବିଦେଶୀ ନାଗରିକ କରୋନା ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୮ରେ ପହଞ୍ଚିଥିବା ବେଳେ ପ୍ରାଣ ହରାଇଥିବା ୪୮ ଜଣଙ୍କ ମଧ୍ୟରୁ ୨୫ ଜଣଙ୍କ ବୟସ ୬୦ରୁ ଅଧିକ ବୋଲି ଜଣାପଡ଼ିଛି। ଉତ୍ତର ପ୍ରଦେଶରେ ୧୪୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ରାଜ୍ୟ ସରକାର ସବୁ ଜିଲ୍ଲାରେ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ଥାନରେ ଆଜି କରୋନାର ୪୯ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୭ରେ ପହଞ୍ଚିଛି। ଆଜି ସୁଦ୍ଧା ଦେଶରେ ୫ ଲକ୍ଷ ୫୪୨ଟି ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ସୂତ୍ରରୁ ଜଣାପଡ଼ିଛି। ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସରକାର କଠୋର ଦଣ୍ଡ ବ୍ୟବସ୍ଥା ନିମନ୍ତେ ଗତକାଲି ଅଧ୍ୟାଦେଶ ଆଣିଥିବା ସତ୍ତ୍ବେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀର ଏଲ୍‌ଏନ୍‌ଜି ହସ୍ପିଟାଲରେ ଜଣେ ଯୁବକ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଥିବା ରିପୋର୍ଟ ହୋଇଛି।

ସମ୍ବନ୍ଧିତ ଖବର