ନୂଆଦିଲ୍ଳୀ: ଇଣ୍ଟେରିୟର ଡିଜାଇନର୍ ଅନ୍ଭୟ ନାଏକ ଓ ତାଙ୍କ ମା’ କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ଜଡ଼ିତ ଥିବା ଦର୍ଶାଇ ମୁମ୍ବାଇର ଆଲିବାଗ ପୁଲିସ ଗତ ବୁଧବାର ସକାଳେ ରିପବ୍ଲିକ ଟେଲିଭିଜନର ମୁଖ୍ୟସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଙ୍କର ବାସଭବନରୁ ଗିରଫ କରିଛି। ତେବେ ଏହି ହାଏ-ପ୍ରୋଫାଇଲ ଘଟଣା ପାଇଁ ପୁଲିସ ପୂର୍ବରୁ ସ୍ବତନ୍ତ୍ର ପ୍ରସ୍ତୁତି କରିଥିଲା। ଯାହାର ନାମ ଥିଲା ‘ଅପରେସନ୍ ଅର୍ଣ୍ଣବ’।
ଏନସିପି ନେତା ଅନିଲ ଦେଶମୁଖଙ୍କ ନେତୃତ୍ବରେ ଗୃହ ବିଭାଗ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ ପାଇଁ କୋଙ୍କଣ ରେଞ୍ଜ ଆଇଜି ସଞ୍ଜୟ ମୋହିତେଙ୍କ ନେତୃତ୍ବରେ ୪୦ ଜଣ ପୁଲିସକର୍ମଚାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଟିମ ଗଠନ କରାଯାଇଥିଲା।
ଇଣ୍ଟେରିୟର ଡିଜାଇନର୍ ଅନ୍ଭୟ ନାଏକ ଓ ତାଙ୍କ ମା’ କୁମୁଦ ନାୟକଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବାର ୨ବର୍ଷ ପୁରୁଣା ଘଟଣାର ଯାଞ୍ଚ ମାମଲାକୁ ଦ୍ବିତୀୟ ଥର ଖୋଲା ଯିବାକୁ ନେଇ ରାୟଗଡ଼ ପୁଲିସର ନିର୍ଦେଶରେ ‘ଅପରେସନ ଅର୍ଣ୍ଣବ’ର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୁମ୍ବାଇ ଓ ରାୟଗଡ଼ରୁ ପାଖାପାଖି ୪୦ଜଣ ପୁଲିସକର୍ମଚାରୀଙ୍କୁ ଏଥିପାଇଁ ଏକାଠି କରାଯାଇଥିଲା। ଆଉ ଏହି ୪୦ଜଣଙ୍କୁ ‘ଅପରେସନ ଅର୍ଣ୍ଣବ’ରେ ସାମିଲ କରାଯାଇଥିଲା।
ଅନ୍ୟ ପକ୍ଷରେ ଗୋସ୍ୱାମୀଙ୍କ ବିରୋଧରେ ଆସିଥିବା ଟିଆରପି ଦୁର୍ନୀତର ଯାଞ୍ଚ୍ ମଧ୍ୟ ମୁମ୍ବାଇ ପୁଲିସ୍ କରୁଛି। ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ମହାରାଷ୍ଟ୍ର ସରକାର ଆକ୍ରୋଶମୂଳକ ଭାବେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।