ମହାରାଷ୍ଟ୍ର ହସ୍‌ପିଟାଲରେ ଅଗ୍ନିକାଣ୍ଡ : ୧୦ ଶିଶୁ ଜଳିଗଲେ

ଭଣ୍ଡାରା : ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ହୃଦୟ ବିଦାରକ ଘଟଣା ରାତି ୨ଟାରେ ଘଟିଥିଲା। ସର୍ଟ ସର୍କିଟ୍‌ ଯୋଗୁଁ ହସ୍ପିଟାଲର ‘ନବଜାତ ଯତ୍ନ ୟୁନିଟ୍‌’ ଜଳି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଯୋଗୁଁ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ବାହାର କରିବା ସମ୍ଭବ ହୋଇପାରିଛି। ହସ୍ପିଟାଲର ଶିଶୁ ୱାର୍ଡରେ ମୋଟ ୧୭ ଜଣ ଶିଶୁ ଥଲେ।

ମିଳିଥିବା ସୂଚନା ଅନୁଯାୟୀ ହସ୍ପିଟାଲର ସ୍ବତନ୍ତ୍ର ନବଜାତ ୟୁନିଟ୍‌ରେ ରାତି ୨ଟା ବେଳେ ଅଚାନକ ନିଆଁ ଲାଗିଥିଲା ଫାୟାର ବ୍ରିଗେଡ ପହଞ୍ଚି ନିଆଁ ଆୟତ୍ତ କଲା ବେଳକୁ ସମଗ୍ର ୱାର୍ଡ ନିଆଁ କବଳକୁ ଆସିଯାଇଥିଲା। ୩ ଜଣ ଶିଶୁ ଏଥିରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୭ ଜଣ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ସମସ୍ତ ଶିଶୁଙ୍କ ବୟସ ୧ ମାସରୁ ୩ ମାସ ମଧ୍ୟରେ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ପରେ ଭଣ୍ଡାରା ହସ୍ପିଟାଲ ଅଗ୍ନିକାଣ୍ଡର ତଦନ୍ତ କରିବା ପାଇଁ ସ୍ବତନ୍ତ୍ର ଯାଞ୍ଚ କମିଟି ଗଠନ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକାକୁଳ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର