ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସସ୍‌ପେ୍‌ନ୍ସ ଜାରି ରହିଛି । ବିଜେପି-ଶିବସେନା ମଧ୍ୟରେ ସରକାର ଗଠନକୁ ନେଇ ଆଦୌ ସହମତି ହୋଇପାରୁ ନଥିବା ବେଳେ ବିଜେପିକୁ ବାଦ୍‌ ଦେଇ ଶି‌ବସେନା ସରକାର ଗଠନ କରିବ ବୋଲି ଆଜି ଦୃଢ଼ୋକ୍ତି ପ୍ରକାଶ କରିଛି। ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ଏବେ ସରକାର ଗଠନ ପାଇଁ ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଯାହାକି ପରବର୍ତ୍ତୀ ସମୟରେ ୧୭୫ରେ ପହଞ୍ଚିବ। ଶିବସେନାର ୫୬ ବିଧାୟକ ଥିବା ବେଳେ କଂଗ୍ରେସର ୪୪, ଏନ୍‌ସିପିର ୫୪ ଏବଂ ଅନେକ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ଆମ ସହିତ ରହିଛି ବୋଲି ରାଉତ କହିଛନ୍ତି।

Advertisment

ଆଜି ମୁମ୍ବାଇରେ ଏନ୍‌ସିପି ମୁଖ୍ୟାଳୟରେ ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଶିବସେନାର ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଛି। ଏନ୍‌ସିପି ବିଧାୟକ ଦଳ ନେତା ଅଜିତ ପାୱାର କହିଛନ୍ତି ଯେ ରାଜ୍ୟରେ ବିଜେପିକୁ ବାଦ୍‌ ଦେଇ ମଧ୍ୟ ଶିବସେନାର ସରକାର ସମ୍ଭବ ହୋଇପାରିବ। ଏନ୍‌ସିପି ନେତା ନବାବ୍‌ ମଲିକ୍‌ କହିଛନ୍ତି ଶିବସେନା ମୁଖ୍ୟମନ୍ତ୍ରୀ ପଦ ହାସଲ କରିବାକୁ ଯେଉଁ ପ୍ରୟାସ କରୁଛି ତାହା ସମ୍ଭବ ହେବ ଏବଂ ଏଥିପାଇଁ ଶିବସେନାକୁ ପ୍ରଥମେ ବିଜେପି ସହ ସଂପର୍କ ତୁଟାଇବାକୁ ହେବ। ତେବେ ଜନସାଧାରଣ ଆମକୁ ବିରୋଧୀ ଦଳରେ ବସିବା ପାଇଁ ଭୋଟ୍‌ ଦେଇଥିବାରୁ ଆମେ ଜନମତକୁ ସମ୍ମାନ ଦେଇ କାମ କରୁଛୁ ବୋଲି ସେ କହିଛନ୍ତି।

ଆଜି ମଧ୍ୟ ଶିବସେନା ନିଜ ମୁଖପତ୍ର ସାମ୍‌ନାରେ ବିଜେପିକୁ କଡ଼ା ସମାଲୋଚନା କରିଛି। ବିଜେପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ପୁଲିସ, ଅର୍ଥବଳ ଦ୍ବାରା ଅନ୍ୟ ଦଳର ବିଧାୟକଙ୍କୁ ନିଜ ପଟକୁ ନେବାପାଇଁ ଯୋଜନା କରୁଛି ବୋଲି ଶିବସେନା କହିଛି। ସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ କହିଛନ୍ତି ମହାରାଷ୍ଟ୍ରରେ ଖୁବ୍‌ଶୀଘ୍ର ସେନାର ସରକାର ଗଠନ ହେବ ଏବଂ ଏଥର ବିଜେପିକୁ ଶିକ୍ଷା ମିଳିବ। ବିଜେପି ମଧ୍ୟ ଶିବସେନାକୁ କଡ଼ା ଜବାବ ଦେଇ କହିଛି ଯେ ଦଳ କେବଳ କ୍ଷମତା ପାଇଁ ପାଗଳ ନ ହୋଇ ଜନମତକୁ ସମ୍ମାନ ଦେଇ ମେଣ୍ଟ ଧର୍ମ ପାଳନ କରିବା ଆବଶ୍ୟକ।