ବେଙ୍ଗାଲୁରୁ: ମହାରାଷ୍ଟ୍ରରେ ବିଜେପିକୁ ମିଳିଥିବା ବଡ଼ ଝଟ୍କା କର୍ଣ୍ଣାଟକରେ ବିଜେପିର ଭୋଟ୍କୁ ପ୍ରଭାବିତ କରିପାରେ ବୋଲି ଦଳୀୟ ନେତାମାନେ ଆଶଙ୍କା କରୁଛନ୍ତି। ରାଜ୍ୟ ବିଜେପିର କିଛି ନେତା କହିଛନ୍ତି ଯେ ମହାରାଷ୍ଟ୍ର ଡ୍ରାମା କର୍ଣ୍ଣାଟକରେ ଭୋଟରଙ୍କ ଭାବନା ଉପରେ ନକରାତ୍ମକ ପ୍ରଭାବ ପକାଇପାରେ। ବିଶେଷ କରି ବେଲଗଭିରେ ୩ଟି ନିର୍ବାଚନ ମଣ୍ଡଳୀ ତଥା ଗୋକାକ୍, ଅଥାନି ଏବଂ କଗୱାଡ଼ରେ ଭୋଟରଙ୍କ ଉପରେ ଏହାର ପ୍ରଭାବ ପଡ଼ିବାରେ। କାରଣ ଏହିସବୁ ନିର୍ବାଚନ ମଣ୍ଡଳୀରେ ଭୋଟର୍ମାନଙ୍କର ମହାରାଷ୍ଟ୍ର ସହ ନିବିଡ଼ ସମ୍ବନ୍ଧ ରହିଛି। ମହାରାଷ୍ଟ୍ରରେ ହୋଇଥିବା ଡ୍ରାମାରୁ ଏହା ମଧ୍ୟ ପ୍ରମାଣ ହୋଇଯାଇଛି ଯେ ବିଜେପି ଅନ୍ୟ ଦଳଠାରୁ ଆାଦୌ କମ୍ ନୁହେଁ ଏବଂ କ୍ଷମତା ପାଇଁ ଏହା ଯେ କୌଣସି ସ୍ତରକୁ ଯାଇପାରେ। ଏହା ଦଳୀୟ ସମର୍ଥକମାନଙ୍କୁ କ୍ଷୁବ୍ଧ କରିଛି ବୋଲି ଜଣେ ବିଜେପି କାର୍ଯ୍ୟକର୍ତ୍ତା କହିଛନ୍ତି।
କର୍ଣ୍ଣାଟକରେ ଉପନିର୍ବାଚନ ପାଇଁ ବିଜେପି ପ୍ରବଳ ଚାପରେ ରହିଛି। ଦଳ ୧୩ ଅଯୋଗ୍ୟ ଘୋଷିତ କଂଗ୍ରେସ ଏବଂ ଜେଡିଏସ୍ ବିଧାୟକଙ୍କୁ ପ୍ରାର୍ଥୀ କରି ସେମାନଙ୍କୁ ଜିତାଇବାପାଇଁ ଚେଷ୍ଟା ଜାରି ରଖିଛି। ତେବେ ଏହି ବଧାୟକମାନଙ୍କ ପ୍ରତି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଭଲ ସମର୍ଥନ ନଥିବାରୁ ବିଜେପିର ଚିନ୍ତା ବଢ଼ି ଯାଇଛି। ଆସନ୍ତା ୫ ତାରିଖରେ କର୍ଣ୍ଣାଟକରେ ୧୫ ଆସନରେ ଉପନିର୍ବାଚନ ହେବ। ବିଜେପି ପାଇଁ ଏହି ଆସନଗୁଡ଼ିକ ମଧ୍ୟରୁ ୭ଟିରେ ଜିତିବା ଅତ୍ୟନ୍ତ ଜରୁରୀ, ଅନ୍ୟଥା ସରକାର ସଙ୍କଟରେ ପଡ଼ିଯିବ। ଅନ୍ୟପକ୍ଷେ ଜେଡିଏସ୍ ସୁପ୍ରି ମୋ ଏଚ୍ଡି ଦେବଗୌଡ଼ା କହିଛନ୍ତି, ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ନୂଆ ମେଣ୍ଟ ଦେଶରେ ରାଜନୈତିକ ପାଣିପାଗ ବଦଳାଇ ଦେବ। କର୍ଣ୍ଣାଟକ ଉପନିର୍ବାଚନ ପରେ ରାଜ୍ୟରେ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ହୋଇପାରେ ବୋଲି ଦେବଗୌଡ଼ା କହିଛନ୍ତି।