ମୁମ୍ବାଇ: ମହାରାଷ୍ଟ୍ର ଅନ୍ତର୍ଗତ ମୁମ୍ବାଇର ଆରେ ଜଙ୍ଗଲରେ ଜଣେ ୨୫ ବର୍ଷିୟ ବ୍ୟକ୍ତି ଗୋଟାଏ କଲରାପତ୍ରିଆକୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପୁତୁରାକୁ ମୃତ୍ୟୁ କବଳରୁ ଉଦ୍ଧାର କରିଛନ୍ତି।
ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆରେର ୟୁନିଟ୍-୩ରେ ଥିବା ଘର ବାହାରେ ତାଙ୍କ ପୁତୁରା ଆୟୁଷ ଖେଳୁଥିବା ବେଳେ ଅକସ୍ମାତ ଗୋଟାଏ କଲରାପତ୍ରିଆ ତା’ ଉପରକୁ ଲମ୍ଫ ଦେବା ସହ ତାକୁ କାମୁଡ଼ି ଧରି ବଣ ଆଡ଼କୁ ଧାଇଁଲା। ଯୋଗକୁ ଦାଦି ବିନୋଦ କୁମାର ଯାଦବ ଆୟୁଷ ଉପରେ ନଜର ରଖିଥିଲେ। ତତ୍କ୍ଷଣାତ୍ ସେ କଲରାପତ୍ରିଆ ପଛରେ ଗୋଡ଼ାଇ ଗଲେ।
ସେ କହନ୍ତି, କଲରାପତ୍ରିଆ ଆୟୁଷକୁ ଆକ୍ରମଣ କରିବା ବେଳେ ମୁଁ ଦୁଆରେ ଛିଡ଼ା ହୋଇଥିଲି। ଆୟୁଷର ମୁଣ୍ଡକୁ କାମୁଡ଼ି ଧରି କଲରାପତ୍ରିଆ ବଣ ଆଡ଼କୁ ଧାଇଁ ଗଲା। ବାଟରେ ପୁଣି ସେ ଆୟୁଷର ବେକକୁ କାମୁଡ଼ି ଧରି ଦୌଡ଼ିଲା। ସେ ଦୃଶ୍ୟ ଦେଖି ମୁଁ ଚିତ୍କାର କରି ତା’ ପଛରେ ଗୋଡ଼ାଇ ଗଲି। ଯୋଗକୁ ଦୌଡ଼ି ପଳାଉଥିବା କଲରାପତ୍ରିଆ ଜାବରୁ ଆୟୁଷ ଖସି ପଡ଼ିଲା। ମୁଁ କୁଦାଏ ମାରି ଆୟୁଷକୁ ଧରି ପକାଇ ଉଠାଇ ଆଣିଲି। କଲରାପତ୍ରିଆଟି ଏଥର ବଣ ଭିତରକୁ ପଳାଇଗଲା।
/sambad/media/post_attachments/wp-content/uploads/2021/09/leopard-300x161.jpg)
ଆୟୁଷର ବେକ ଖଣ୍ଡିଆଖାବରା ହେବା ସହ ମୁଣ୍ଡରେ ଆଠଟି ସିଲାଇ ପଡ଼ିଛି। ଆୟୁଷର ମାଆ ଆରତି ଯାଦବ କହନ୍ତି, ଆମେ ସଭିଏଁ ଭୀତତ୍ରସ୍ତ ହୋଇଯାଇଥିଲୁ। କଲରାପତ୍ରିଆ ହାବୁଡ଼ରୁ ରକ୍ଷା କରିବା ପାଇଁ ଆମେ ପିଲାମାନଙ୍କୁ ଘରେ ପୂରାଇ ରଖୁଛୁ। ମୋ ପୁଅ ବର୍ତ୍ତିଯାଇଥିବାରୁ ଈଶ୍ବରଙ୍କ ନିକଟରେ କୃତଜ୍ଞ। ରାତିରେ କଲରାପତ୍ରିଆଙ୍କ ଉପରେ ନଜର ରଖିବା ଲାଗି ଏ ଅଞ୍ଚଳରେ ‘ଷ୍ଟ୍ରିଟ୍ ଲାଇଟ୍’ ଲଗାଯିବା ଜରୁରୀ।
କଲରାପତ୍ରିଆ ଭୟରେ ସନ୍ଧ୍ୟା ପରେ ସେ ଅଞ୍ଚଳରେ ଲୋକେ ଘରୁ ବାହାରିବାକୁ ଅସୁରକ୍ଷିତ ମଣୁଛନ୍ତି। ପ୍ରତିକାର ସ୍ବରୂପ ସରକାରୀ କର୍ତ୍ତୃପକ୍ଷମାନେ ସେ ହାମ୍ଲେଟ୍ ଅଞ୍ଚଳରୁ ଅରମା ବୁଦା କାଟି ସଫା କରିବା ସହ ଡଷ୍ଟ୍ବିନ୍ ସବୁ ରଖିଛନ୍ତି।
ସୂଚନାଯୋଗ୍ୟ, ମାସକ ମଧ୍ୟରେ ସେ ଅଞ୍ଚଳରେ ୪ ଥର କଲରାପତ୍ରିଆ ବାଘ ଆକ୍ରମଣ ଘଟଣା ଘଟିବା ପରେ ବଣରେ ମନୁଷ୍ୟ ଓ ପ୍ରାଣୀ ମଧ୍ୟରେ ସଂଘର୍ଷ ଏଡ଼ାଇବା ଲାଗି ବନ ଅଧିକାରୀ ଏବଂ ସଂରକ୍ଷକମାନେ ‘କ୍ୟାମେରା ଟ୍ରାପ୍’ ଏବଂ ‘ଟ୍ରାପ୍ କେଜ୍’ (ଯନ୍ତା) ବସାଇଛନ୍ତି।