ନକଲି ଔଷଧ ବିକ୍ରି କରିବାକୁ ରାଜ୍ୟ ଅନୁମତି ଦେଉନାହିଁ; ରାମଦେବଙ୍କ କରୋନିଲ୍‌ ଔଷଧକୁ ନେଇ ଏପରି କହିଲେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ମୁମ୍ବାଇ: କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ ପାଇଁ ଯୋଗ ଗୁରୁ ବାବା ରାମ ଦେବଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି କରୋନିଲ୍‌ ଔଷଧ ତିଆରି କରିଛି ବୋଲି ଘୋଷଣା କରିବା ପରେ ଚର୍ଚ୍ଚାକୁ ଆସିଥିଲେ ବାବା ରାମଦେବ। ଏହି ଔଷଧ ଖାଇଲେ ୭ ଦିନ ଭିତରେ ଆରୋଗ୍ୟ ଲାଭ ହେବ ବୋଲି ସେ ଦାବି କରିଥିଲେ। ମାତ୍ର ତାଙ୍କର ଏହି ଦାବିକୁ ଅସ୍ବୀକାର କରି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ଦେଶମୁଖ ଏପରି ନକଲି ଔଷଧକୁ ବିକ୍ରି କରିବା ପାଇଁ ରାଜ୍ୟ ଅନୁମତି ଦେଉନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ଦେଶମୁଖ୍ୟ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରି ଏପରି ଲେଖିଛନ୍ତି।

ଦେଶମୁଖ ଆହୁରି କହିଛନ୍ତି ଯେ ପତଞ୍ଜଳିର ଏହି ଔଷଧକୁ ବାସ୍ତବରେ ପରୀକ୍ଷଣ କରାଯାଇଛି କି ନାହିଁ ଜୟପୁରର ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ତାହାର ସୂଚନା ପ୍ରଦାନ କରିବ। ଏହାବ୍ୟତୀତ ବାବା ରାମଦେବଙ୍କ କରୋନିଲ୍‌ ବିଜ୍ଞାପନକୁ ପୂରାପୂରି ବନ୍ଦ କରିବା ପାଇଁ ମନ୍ତ୍ରୀ ଦେଶମୁଖ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରମାଣରେ ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ସହ ସାଲିସ୍‌ କରାଯାଇ ପାରିବ ନାହିଁ ବୋଲି ସେ ଟ୍ବିଟ୍‌ରେ ସ୍ପଷ୍ଟ୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବାବା ରାମଦେବଙ୍କ ପତଞ୍ଜଳି ପକ୍ଷରୁ ଦାବି ହୋଇଥିଲା ଯେ  କୋଭିଡ୍‌-୧୯ ବିରୋଧରେ ସେ ପ୍ରଥମ ଔଷଧ ବାହାର କରିଛନ୍ତି। ସେହି ଔଷଧ ଖାଇଲେ ୭ ଦିନ ମଧ୍ୟରେ କରୋନା ପରି ଭାଇରସ୍‌ରୁ ଆରୋଗ୍ୟ ଲାଭ କରିହେବ। ତାଙ୍କ ପରିଚାଳିତ ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନ୍ ଟ୍ରଷ୍ଟ୍ ଦ୍ବାରା ପୂୂରା ପ୍ରମାଣର ସହ ସେ ପରୀକ୍ଷଣ କରି କୋଭିଡ୍‌-୧୯ ଭାଇରସ୍‌ ପାଇଁ ଔଷଧ ପ୍ରସ୍ତୁତ କରିଛନ୍ତି ବୋଲି ଦାବି ହୋଇଥିଲା।

DNA India

ହରିଦ୍ବାରରେ ସେ ବାହାର କରିଥିବା ଔଷଧ ସଂପର୍କରେ ସୂଚନା ଦେଇ ରାମଦେବ କହିଥିଲେ କି ଏହି ଔଷଧ‌ରେ ମୃତ୍ୟୁ ହାର ଶୂନ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୧୦୦ ପ୍ରତିଶତ। ଏହାକୁ ଖାଇଲେ ୬୯ ପ୍ରତିଶତ ରୋଗୀ ୩ ଦିନରେ ଆରୋଗ୍ୟ ଲାଭ କରୁଛନ୍ତି ଓ ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଯାଉଛନ୍ତି ବୋଲି ସୂଚନା ରହିଥିଲା।

ସମ୍ବନ୍ଧିତ ଖବର