ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ପ୍ରକୃତରେ ଆକ୍ରମଣ ହୋଇଛି ନା ଅଭିନେତା ଅଭିନୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଣେଠାରେ ଏକ କାର୍ଯ୍ୟକ୍ରମରେ ରାଣେ କହିଛନ୍ତି, ଡିସଚାର୍ଜ ହେବା ପରେ ଯେତେବେଳେ ମୁଁ ସୈଫ୍ଙ୍କୁ ଦେଖିଲି, ସେତେବେଳେ ମୋର ସନ୍ଦେହ ହେଲା ଯେ ତାଙ୍କୁ ପ୍ରକୃତରେ ଛୁରାମାଡ଼ କରାଯାଇଛି ନା ସେ ଅଭିନୟ କରୁଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଜଣେ ଖାନ୍ ଅସୁବିଧାରେ ଥାଆନ୍ତି ସେତେବେଳେ ବିରୋଧୀ ନେତାମାନେ ତାଙ୍କୁ ନେଇ ଚିନ୍ତା ପ୍ରକଟ କରନ୍ତି।
ସେ ପ୍ରଶ୍ନ କରିଛନ୍ତି, କାହିଁକି ଏନ୍ସିପି ନେତା ଜିତେନ୍ଦ୍ର ଆୱାଡ କିମ୍ବା ବାରାମତୀ ସାଂସଦ ସୁପ୍ରିୟା ସୁଲେ ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ଚିନ୍ତିତ ନ ଥିଲେ? ସୈଫ ଅଲ୍ଲୀ ଖାନ, ଶାହାରୁଖ ଖାନଙ୍କ ପୁଅ ତଥା ଏନ୍ସିପି ନେତା ନବାବ ମଲିକଙ୍କୁ ନେଇ ସୁପ୍ରିୟା ସୁଲେ ଚିନ୍ତିତ। ଆପଣ କେବେ ଶୁଣିଛନ୍ତି କି ସେ କୌଣସି ହିନ୍ଦୁ କଳାକାରଙ୍କୁ ନେଇ ଚିନ୍ତିତ ଅଛନ୍ତି ବୋଲି ରାଣେ ପ୍ରଶ୍ନ କରିଛନ୍ତି। ଜାନୁଆରି ୧୬ରେ ଚୋରି କରିବା ଉଦ୍ଦେଶ୍ୟରେ ସୈଫଙ୍କ ଫ୍ଲାଟରେ ପ୍ରବେଶ କରିଥିବା ଜଣେ ଅନୁପ୍ରବେଶକାରୀଙ୍କ ଦ୍ୱାରା ଛୁରିମାଡ଼ ହେବାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଅନୁପ୍ରବେଶକାରୀ ଜଣକ ହେଉଛନ୍ତି ଥାନେରୁ ଗିରଫ ବାଂଲାଦେଶୀ ନାଗରିକ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ। ରାଣେ କହିଛନ୍ତି, ପୂର୍ବରୁ ବାଂଲାଦେଶୀମାନେ ମୁମ୍ବାଇ ବନ୍ଦରରେ ରହୁଥିଲେ, କିନ୍ତୁ ଏବେ ସେମାନେ ଘରେ ମଧ୍ୟ ପ୍ରବେଶ କରିବା ଆରମ୍ଭ କରିଛନ୍ତି। ବୋଧହୁଏ ସେମାନେ ତାଙ୍କୁ ନେଇଯିବାକୁ ଆସିଥିଲେ।