ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଏକ ବିସ୍ଫୋରକ ପ୍ୟାକେଜିଙ୍ଗ୍ କାରଖାନାରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୯ଜଣଙ୍କର ମୃତ୍ୟୁ ଘଟିଥିବା ପରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ବଜାରଗାଓଁ ଅଞ୍ଚଳରେ ଅବସ୍ଥିତ ‘ସୋଲାର୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍’ ନାମକ କମ୍ପାନିରେ ଏହି ବିସ୍ଫୋରଣ ଘଟିଥିଲା। କୋଇଲା ଫଟାଇବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ପ୍ୟାକିଙ୍ଗ୍ କରିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ୯ଜଣଙ୍କର ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ଓ ଶ୍ରମିକଙ୍କ ସମ୍ପର୍କୀୟ ସମେତ ପାଖାପାଖି ୨୦୦ଲୋକ କାରଖାନାର ପ୍ରବେଶ ଦ୍ବାରକୁ ଘେରି ଯାଇଛନ୍ତି। ଯଦ୍ବାରା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି।
ଏହି ବିସ୍ଫୋରଣରେ ନୀଳକଣ୍ଠଶ୍ବର ସହାରେଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। କାରଣ ଏହି ବିସ୍ଫୋରଣରେ ତାଙ୍କର ପରିବାରର ଏକମାତ୍ର ରୋଜଗାରିଆ ଝିଅଙ୍କ ମୃତ୍ୟୁ ହୋଇଯାଇଛି।
ନୀଳକଣ୍ଠଶ୍ବର ସହାରେ କାନ୍ଦିକାନ୍ଦି କାରଖାନା ସାମ୍ନାରେ ବିଚଳିତ ହୋଇ ବସିପଡ଼ିଛନ୍ତି। କ’ଣ କରିବେ କିଛି ବୁଝି ପାରୁନାହାନ୍ତି। ସମସ୍ତଙ୍କ ପାଖକୁ ଯାଇ ଝିଅର ମୃତଦେହ ଦେବାକୁ ଅନୁରୋଧ କରୁଛନ୍ତି।କାରଣ ଏହି ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରୁ ନୀଳକଣ୍ଠଶ୍ବର ସହାରେଙ୍କ ୨୨ବର୍ଷର ଝିଅ ଆରତୀ ବି ରହିଛନ୍ତି।
ଆରତୀଙ୍କ ବାପା ପକ୍ଷଘାତରେ ପୀଡ଼ିତ ଥିବା ବେଳେ ମା’ କଥା କହି ପାରନ୍ତି ନାହିଁ। ଘରେ ଆରତୀଙ୍କ ଏକ ସାନ ଭଉଣୀ ବି ଅଛି।
ତେବେ ଦୁର୍ଘଟଣା ପରେ ପରିବାରଲୋକଙ୍କୁ ମୃତଦେହ ନଦେବା ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି, ‘ଦୁର୍ଘଟଣାସ୍ଥଳରେ ବିସ୍ଫୋରକ ଅଛି। ତାହାକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କରାଯାଉଛି। ଘଟଣାସ୍ଥଳକୁ ସୁରକ୍ଷିତ କଲା ପରେ ଯାଇ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ।’