ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ହଜା‌େର ଟପିଲା, କେବଳ ମେ’ରେ ୫୫% ମୃତ୍ୟୁ

ମହାରାଷ୍ଟ୍ର ପୁଲିସରେ ୧୦୬୧ ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ମୃତ୍ୟୁସଂଖ୍ୟା ୧୦୧୯ରେ ପହଞ୍ଚିଛି। ମହାରାଷ୍ଟ୍ରରେ ପ୍ରଥମ ମାମଲା ଚିହ୍ନଟ ହେବାର ୨ ମାସ ମଧ୍ୟ‌ରେ ରାଜ୍ୟର ମୃତ୍ୟୁସଂଖ୍ୟା ୧ ହଜାର ଟପିଛି। ମୋଟ୍‌ ମୃତ୍ୟୁର ପ୍ରାୟ ୫୫ ପ୍ରତିଶତ କେବଳ ଗତ ୧୪ ଦିନ ମଧ୍ୟରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ର ପରେ ଗୁଜରାଟରେ ୫୬୬ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଲଗାତାର ୯ ଦିନ ଧରି ୧୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ ଗୁରୁବାର ୧୬୦୨ ନୂଆ ମାମଲା ଠାବ ହୋଇଛି। ଚଳିତ ମାସରେ ଏହି ସଂଖ୍ୟା ୧୬ ହଜାର ୮୮୩ ହୋଇଛି। ରାଜ୍ୟରେ ମୋଟ୍‌ ମାମଲାର ଏହା ୬୧.୩ ପ୍ରତିଶତ। କେବଳ ମୁମ୍ବାଇରେ ଗୁରୁବାର ୯୯୧ ନୂଆ ମାମଲା ଠାବ ହୋଇଥିବା ବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୭୩୮ ଏବଂ ମୃତ୍ୟୁସଂଖ୍ୟା ୬୨୧ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଏବେ ମୋଟ୍‌ ୨.୪ ଲକ୍ଷ ଲୋକଙ୍କ କରୋନା ପରୀକ୍ଷା କରାଯାଇଛି। ରାଜ୍ୟରେ ୧ ହଜାରରୁ ଅଧିକ ପୁଲିସ କର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ବଢ଼ି ଚାଲିଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ମହାରାଷ୍ଟ୍ରରେ ଗୋଆ ମଡେଲ୍‌ ଲାଗୁ କରିବାପାଇଁ ଠାକ୍‌ରେ ଘୋଷଣା କରିଥିଲେ। ପ୍ରଭାବିତ ଜିଲ୍ଲାମାନଙ୍କରେ ଘରକୁ ଘର ସ୍ବାସ୍ଥ୍ୟ ଟିମ୍‌ ବୁଲିବେ ଏବଂ କେବଳ କରୋନା ନୁହେଁ ପ୍ରତି ଅସୁସ୍ଥଙ୍କୁ ଚିକିତ୍ସା କରାଯିବ ବୋଲି ଘୋଷଣା କରାଯାଇଛି।

ମୁମ୍ବାଇ: ମହାରାଷ୍ଟ୍ର ପୁଲିସରେ ସଂକ୍ରମଣ ମାତ୍ରା ବଢ଼ୁଛି। ମହାରାଷ୍ଟ୍ର ପୁଲିସରେ ମୋଟ୍‌ ୧୦୬୧ ଜଣ କରୋନା ଆକ୍ରାନ୍ତ ‌ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୧୨ ଜଣ ପୁଲିସ ଅଧିକାରୀ ଅଛନ୍ତି। ତେବେ ମହାରାଷ୍ଟ୍ର ପୁଲିସରେ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ଜଣ ରୋଗ‌ରେ ପ୍ରାଣ ହାରିଛନ୍ତି।

ଡ୍ୟୁଟିରେ ଥିବା ପୁଲିସଙ୍କ ଉପରେ ଆକ୍ରମଣ ନେଇ ୮୫ ପୁଲିସ ଆହତ ହୋଇଛନ୍ତି। ପୁଲିସ ଉପରେ ଆକ୍ରମଣ ମାମଲାରେ ୮୦୩ ଜଣ ଗିରଫ ହୋଇଛନ୍ତି। ଲକ୍‌ଡାଉନ୍‌ ଆରମ୍ଭ ‌ହେବାପରଠାରୁ ମହାରାଷ୍ଟ୍ରରେ ଆଇପିସିର ବିଭିନ୍ନ ଧାରା ଅଧୀନରେ ୧ଲକ୍ଷ ୭ ହଜାର ୨୫୬ ମାମଲା ରୁଜୁ ହୋଇଛି ଏବଂ ୨୦ ହଜାର ୪୭୧ ଜଣ ଗିରଫ ହୋଇଛନ୍ତି। ୫୮ ହଜାର ୨୯୧ ଗାଡ଼ି ଜବତ ହୋଇଛି।

ସମ୍ବନ୍ଧିତ ଖବର