ମହାରାଷ୍ଟ୍ର ରାଜନୀତି: ୩୧ ଦିନ ପରେ ସରକାର ଗଠନ ବାଟ ଫିଟିଲା

ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ: ପାୱାର

ନୂଆଦିଲ୍ଲୀ,: ମହାରାଷ୍ଟ୍ର ନିର୍ବାଚନ ଶେଷ ହେବାର ୩୧ ଦିନ ପରେ ସରକାର ଗଠନ ବାଟ ଫିଟିଛି। ଆଜି ମୁମ୍ବାଇଠାରେ ଶିବସେନା-ଏନସିପି ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ସରକାର ଗଠନ ନିଷ୍ପତ୍ତି ନିଆଯାଇଛି। ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ ନୂଆ ସରକାରର ନେତୃତ୍ବ ନେବେ ବୋଲି ୩ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି। ଆସନ୍ତାକାଲି ମଧ୍ୟ ଆଲୋଚନା ହେବ ବୋଲି ଆଜିର ବୈଠକ ‌ପରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ସାମ୍ବାଦିକମାନଙ୍କୁ କହିଛନ୍ତି। ଆସନ୍ତାକାଲି ୩ ଦଳ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯିବ। ତାହା ପରେ ଆମେ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ କେତେବେଳେ ଦାବି କରିବୁ ସେ ନେଇ ନିଷ୍ପତ୍ତି ନେବୁ ବୋଲି ପାୱାର କହିଛନ୍ତି। ମୁମ୍ବାଇର ନେହରୁ ସେଣ୍ଟରଠାରେ ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ହୋଇଥିଲା। ମେଣ୍ଟର ମୌଳିକ ନୀତିନିୟମ କ’ଣ ରହିବ ତାହା ଆଜିର ବୈଠକରେ‌ ସ୍ଥିର ହୋଇଛି। ବରିଷ୍ଠ କଂଗ୍ରେସ ନେତା ମାନିକରାଓ ଠାକ୍‌ରେ କହିଛନ୍ତି, ଆଜିର ବୈଠକରେ ୩ ଦଳର ନେତାମାନେ ଗଠନ ହେବାକୁ ଥିବା ନୂଆ ସରକାରର ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ବା ସିଏମ୍‌ପିର ଚିଠା ଏବଂ କଂଗ୍ରେସ ଓ ଏନସିପି ମଧ୍ୟରେ କ୍ଷମତା ଭାଗବଣ୍ଟା ବିଷୟରେ ଶିବସେନା ନେତାଙ୍କ ସହିତ ଆଲୋଚନା ହୋଇଛି। ଆଜିର ବୈଠକରେ ଶିବସେନା ନେତା ଉଦ୍ଧବ ଠାକ୍‌ରେ, ସୁବାସ ଦେଶାଇ, ସଞ୍ଜୟ ରାଉତ, କଂଗ୍ରେସ ନେତା ଅହମ୍ମଦ ପଟେଲ, ମଲ୍ଲିକାର୍ଜୁନ ଖଡ଼ଗେ, କେ ସି ବେଣୁଗୋପାଳ, ଅବିନାଶ ପାଣ୍ଡେ, ବାଲା‌ସାହେବ ଥୋରାଟ, ପୃଥ୍ବୀରାଜ ଚୌହାନ ଏବଂ ଏନସିପି ନେତା ଶରଦ ପାୱାର, ପ୍ରଫୁଲ୍ଲ ପଟେଲ, ଜୟନ୍ତ ପାଟିଲ, ଅଜିତ ପାୱାର ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିକଟକୁ ସରକାର ଗଠନ କରିବା ନିମନ୍ତେ ଦାବି କରିବା ଲାଗି କେତେବେଳେ ଯିବେ ସେ ନେଇ ଆସନ୍ତାକାଲି ମେଣ୍ଟର ନେତାମାନେ ସ୍ଥିର କରିବେ ବୋଲି ପାୱାର ସାମ୍ବାଦିକମାନଙ୍କୁ କହିଛନ୍ତି। ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ସେମାନଙ୍କ ଆଦର୍ଶଗତ ବିରୋଧ ଭୁଲି ସରକାର ଗଠନ ପାଇଁ ରାଜି ହୋଇଯିବା ବିଷୟ ରାଜ୍ୟପାଳ ଅନୁଭବ କରିଛନ୍ତି। ଏହି କାରଣରୁ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟପାଳ ସମ୍ମିଳନୀରେ ଯୋଗଦେବାକୁ କୋଶିୟାରୀ ଯାଇନାହାନ୍ତି। ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ଥିଲା। ବିଜେପି ୧୦୫ଟି ଏବଂ ଶିବସେନା ୫୬ଟି ଆସନରେ ଜିତିଥିଲା। ତେଣୁ ସରକାର ଗଠନ ପାଇଁ ସେମାନଙ୍କ ନିକଟରେ ଆବଶ୍ୟକ ବିଧାୟକ ମଧ୍ୟ ଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ ‌ଅଢ଼େଇ ବର୍ଷ ବସିବା ଲାଗି ସୁଯୋଗ ଶିବସେନା ଦାବି କରିଥିଲା। ବିଜେପି ଏଥିରେ ରାଜି ହୋଇ ନଥିଲା। ଫଳରେ ସେଠାରେ ବିଜେପି ଏବଂ ଶିବସେନା ମେଣ୍ଟ ସରକାର ଗଠନ ହୋଇ ପାରି ନଥିଲା। କିନ୍ତୁ ଏବେ ଶିବସେନାର ୫୬ ବିଧାୟକଙ୍କ ସହିତ ଏନସିପିର ୫୪ ଏବଂ କଂଗ୍ରେସର ୪୪ ବିଧାୟକ ରହିଛନ୍ତି। ସରକାର ଗଠନ ପାଇଁ ଆବଶ୍ୟକ ୧୪୫ ସଂଖ୍ୟାଠାରୁ ଏମାନଙ୍କ ସଂଖ୍ୟା ଅଧିକ ହେଉଛି। ବର୍ତ୍ତମାନ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ଷମତା ଭାଗବଣ୍ଟା ନେଇ ମଧ୍ୟ ତିନି ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି। ଶିବସେନା ମୁଖ୍ୟମନ୍ତ୍ରୀ ପଦ ସମେତ ୧୬ଟି ମନ୍ତ୍ରୀ ପଦ, ଏନ୍‌ସିପି ୧୪ଟି ଏବଂ କଂଗ୍ରେସ ୧୨ଟି ମନ୍ତ୍ରୀପଦ ପାଇବେ।

୮ ମାସ ତିଷ୍ଠିବନି ମେଣ୍ଟ ସରକାର: ଗଡ଼କରୀ
ନୂଆଦିଲ୍ଲୀ: ଶି‌ବସେନା, ଏନସିପି ଏବଂ କଂଗ୍ରେସ ମଧ୍ୟରେ ମହାରାଷ୍ଟ୍ର ସରକାର ଗଠନ ପାଇଁ ଚାଲିଥିବା ଉଦ୍ୟମକୁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସମାଲୋଚନା କରିଛନ୍ତି। ଏହାକୁ ସେ ସୁବିଧା‌ବାଦୀ ମେଣ୍ଟ କହିଛନ୍ତି। ମହାରାଷ୍ଟ୍ରରେ ଏହି ମେଣ୍ଟ ସରକାର ଗଠନ ସଫଳ ହେଲେ ଏହା ୬-୮ ମାସରୁ ଅଧିକ ଦିନ ତିଷ୍ଠିବ ନାହିଁ ବୋଲି ଗଡ଼କରୀ କହିଛନ୍ତି। କେବଳ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ଆଦର୍ଶଗତ ଭିନ୍ନତା ଥିବା ଦଳଗୁଡ଼ିକ ମଧ୍ୟରେ ମେଣ୍ଟ ଗଠନକୁ ସେ ଦୁର୍ଭାଗ୍ୟଜନକ ବୋଲି ଗଡ଼କରୀ ଝାଡ଼ଖଣ୍ଡରେ କହିଛନ୍ତି।

ମେଣ୍ଟ ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ବିରୋଧ କରାଯାଇଛି। ଏହି ମେଣ୍ଟକୁ ସରକାର ଗଠନ କରିବାକୁ ନଦେବା ପାଇଁ ଆଜି ସୁପ୍ରିମ୍‌ କୋର୍ଟରେ ଦିଣ୍ଡୋସି ନିର୍ବାଚନ ମଣ୍ଡଳୀର ଭୋଟର ସୁରେନ୍ଦ୍ର ଇନ୍ଦ୍ର ବାହାଦୁର ସିଂହ ଆବେଦନ କରିଛନ୍ତି। ଏହି ୩ଟି ଦଳ ରାଜ୍ୟରେ ସରକାର ଗଠନ ପାଇଁ ମେଣ୍ଟ ଗଠନ କରି ନିର୍ବାଚନରେ ମିଳିଥିବା ଜନାଦେଶକୁ ପରାହତ କରିବାକୁ ଯାଉଛନ୍ତି ବୋଲି ସେ ଦର୍ଶାଇଛନ୍ତି। ନିର୍ବାଚନରେ ସେମାନେ ପରସ୍ପର ବିରୋଧରେ ଲଢ଼ିଥିଲେ। କିନ୍ତୁ ନିର୍ବାଚନ ପରେ ସରକାର ଗଠନ ପାଇଁ ଏବେ ମେଣ୍ଟ କରୁଛନ୍ତି। କିନ୍ତୁ ନିର୍ବାଚନ ପୂର୍ବରୁ ଶିବସେନା ବିଜେପି ମେଣ୍ଟକୁ ଲୋକେ ଭୋଟ ଦେଇଥିଲେ। ‌ତେଣୁ ନିର୍ବାଚନ ପରେ କଂଗ୍ରେସ ଏବଂ ଏନସିପି ସହିତ ଶିବସେନାର ମେଣ୍ଟ ଏକ ଜାଲିଆତି ସହ ସମାନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର