ଜଟିଳ ହେଉଛି ମହାରାଷ୍ଟ୍ର ରାଜନୀତି, ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବେ: ସଂଜୟ ରାଉତ

ଗଡ଼କରୀ, ଭାଗବତଙ୍କ ହସ୍ତକ୍ଷେପ ଲୋଡ଼ିଲା ଶିବସେନା

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୨ ଦିନ ବିତି ଯାଇଥିଲେ ମଧ୍ୟ ଏଯାବତ୍‌ ସରକାର ଗଠନ ହୋଇପାରୁ ନାହିଁ। ଆଜି ସେନାର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି ଖୁବ୍‌ ଶୀଘ୍ର ଜଣେ ସେନା ‌େନତା ହିଁ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଆଗକୁ ରାଜ୍ୟ ରାଜନୀତି ବଦଳିବ । ଶିବସେନା ଆଜି ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ସମାଲୋଚନା କରି କହିଛି ଯେ ମହାରାଷ୍ଟ୍ରରେ ସରକାର ଗଠନ ତାଙ୍କ ପାଇଁ ହିଁ ବିଳମ୍ବ ହେଉଛି। ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପଦକ୍ଷେପ ଉପରେ ମହାରାଷ୍ଟ୍ର ରାଜନୀତିର ଗତି ନିର୍ଭର କରୁଛି ବୋଲି ଶିବସେନା କହିଛି।

ଅନ୍ୟପକ୍ଷରେ ସ୍ବାଧୀନ ବିଧାୟକ ରବି ରାଣା କହିଛନ୍ତି, ଶିବସେନା ଯଦି ବିଜେପି ସହ ନ‌ରହେ ତେବେ ଏହା ଦୁଇ ଭାଗ ହୋଇଯିବ। ସରକାର ଗଠନରେ ବିଳମ୍ବ ହେବାପାଇଁ ଶିବସେନାକୁ ଦାୟୀ କରି ରାଣା କହିଛନ୍ତି, ସ୍ପଷ୍ଟ ଜନମତ ସତ୍ତ୍ବେ ସେନା‌ ସରକାର ଗଠନରେ ବିଳମ୍ବ କରୁଛି। ଏଭଳି କାର୍ଯ୍ୟ ମହାରାଷ୍ଟ୍ରବାସୀଙ୍କ ପାଇଁ ଅପମାନ। ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେଲେ ୨୦-୨୫ ଜଣ ଶିବସେନା ବିଧାୟକ ବିଜେପିକୁ ସମର୍ଥନ ଦେବେ। ରାଣା କହିଛନ୍ତି, ଶିବସେନା ବିଜେପି ସହ ମେଣ୍ଟ କରିଥିବାରୁ ୫୬ ଆସନରେ ଜିତିପାରିଛି, ନ‌ଚେତ୍‌ ଏହା ୨୫ଟି ଆସନରେ ସୀମିତ ରହିଥାନ୍ତା।

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ସଂଘର୍ଷ ଲାଗି ରହିଥିବା‌ ବେଳେ ଶିବସେନା ଆଜି ଏହି ମାମଲାରେ ହସ୍ତକ୍ଷେପ କରିବାପାଇଁ ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରିଛି। ଶିବସେନା ନେତା କିଶୋର ତିୱାରୀ ଆଜି ମୋହନ ଭାଗବତଙ୍କୁ ଚିଠି ଲେଖି ଏହି ମାମଲାରେ ହସ୍ତକ୍ଷେପ କରିବାପାଇଁ କହିଛନ୍ତି। ତିୱାରୀ କହିଛନ୍ତି, ବିଜେପି-ଶିବସେନା ମେଣ୍ଟକୁ ସ୍ପଷ୍ଟ ଜନମତ ମିଳିଛି। କିନ୍ତୁ ବିଜେପି ମେଣ୍ଟ ଧର୍ମ ପାଳନ ନ କରିବାରୁ ସରକାର ଗଠନରେ ବିଳମ୍ବ ହେଉଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ନେତୃତ୍ବରେ ବୁଝାମଣା ହେଲେ ସବୁ ଅନିଶ୍ଚିତତାର ଅବସାନ ଘଟିବ ବୋଲି ସେ କହିଛନ୍ତି। ନୀତିନ ଗଡ଼କରୀ ମାତ୍ର ୨ ଘଣ୍ଟା ମଧ୍ୟରେ ଏହି ସମସ୍ୟାର ସମାଧାନ କରିଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର