ଦିଲ୍ଲୀରେ ମହାରାଷ୍ଟ୍ର ରାଜନୀତି; ଶିବ ସେନାକୁ ସମର୍ଥନ ଦେବାକୁ ମନାକଲେ ସୋନିଆ, ଶାହଙ୍କୁ ଭେଟିଲେ ଫଡ଼ନାବିସ

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଇତିମଧ୍ୟରେ ୧୨ ଦିନ ପୁରଣ ହେଲାଣି। କିନ୍ତୁ ସେଠାରେ ସରକାର ଗଠନ ହୋଇପାରୁନାହିଁ। ୫୦:୫୦ ଫର୍ମୁଲା ଆଧାରରେ ସରକାର ଗଠନ ପାଇଁ ଶିବସେନା ଜିଦ୍ ଧରିଥିବାବେଳେ ବିଜେପି ଏହାକୁ ଗ୍ରହଣ କରୁନାହିଁ। ଏହି ପ୍ରସଙ୍ଗର କୌଣସି ସମାଧାନ ସୂତ୍ର ବମ୍ବେରେ ବାହାରି ନପାରିବାରୁ ମହାରାଷ୍ଟ୍ର ରାଜନୀତି ଆଜି ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଆଜି ଦିଲ୍ଲୀରେ ବିଜେପି ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଯଥାଶୀଘ୍ର ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି ଫଡ଼ନାବିସ ବୈଠକ‌ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ସନ୍ଧ୍ୟାରେ ଏନ୍‌ସିପି ସୁପ୍ରିମୋ ‌ଶରଦ ପାୱାର ଭେଟିଛନ୍ତି। ସୋନିଆଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ସରକାର ଗଠନ ପାଇଁ ଶିବ ସେନା ତାଙ୍କ ଦଳର ସହାୟତା ‌ମାଗିନାହିଁ। ଆମକୁ ମଧ୍ୟ ବିରୋଧୀ ଆସନରେ ବସିବା ପାଇଁ ଜନମତ ମିଳିଛି। କିନ୍ତୁ ଭବିଷ୍ୟତରେ କ’ଣ ହେବ ତାହା କୁହାଯାଇ ପାରିବ ପାରିବ ନାହିଁ ବୋଲି ପାୱାର କହିଛନ୍ତି। କଂଗ୍ରେସ ଏବଂ ଏନସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ଆଶା ରଖିଥିବା ଶିବ ସେନାକୁ ଆଜି ଶକ୍ତ ଧକ୍କା ଲାଗିଛି। ଶିବ ସେନାକୁ ସରକାର ଗଠନ ପାଇଁ ସମର୍ଥନ ଦେବାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏନସିପି ନେତା ଶରଦ ପାୱାରଙ୍କ ସହିତ ଆଲୋଚନା କରିବା ପରେ ସୋନିଆ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ମହାରାଷ୍ଟ୍ର କଂଗ୍ରେସର କେତେକ ନେତା ଶିବ ସେନାକୁ ସମର୍ଥନ ଦେବା ସପକ୍ଷରେ ଥିବାବେଳେ ସୋନିଆ ଏଥିପାଇଁ ରାଜି ନଥିବା ଆଜି ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର