ମହାରାଷ୍ଟ୍ର ରାଜନୀତି: ଏନ୍‌ସିପି-ଶିବସେନା-କଂଗ୍ରେସ ଏକାଠି, ସିଏମ୍‌ପି ଚୂଡ଼ାନ୍ତ

ସୋନିଆଙ୍କ ସହ ଆଲୋଚନା ପାଇଁ ପାୱାର ଦିଲ୍ଲୀ ଯିବେ

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ ସରକାର ଗଠନ ପାଇଁ ଏନ୍‌ସିପି, ଶିବସେନା ଏବଂ କଂଗ୍ରେସର ପ୍ରଚେଷ୍ଟା ଜାରି ରହିଛି। ସରକାର ଗଠନ ପୂର୍ବରୁ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ପ୍ରସ୍ତୁତ କରିବା ଏବଂ ଏଥିପାଇଁ ସମୟସୀମା ନିର୍ଦ୍ଧାରଣ କରିବାକୁ ଆଜି ତିନି ଦଳର ଏକ ମିଳିତ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସିଏମ୍‌ପି ଚୂଡ଼ାନ୍ତ ହେବା ସହ ଏହି ଆଧାରରେ ହିଁ ସରକାର କାର୍ଯ୍ୟ କରିବ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ଗୁରୁତ୍ବାରୋପ କରାଯାଇଛି। ଏଥିରେ କଂଗ୍ରେସର ବରିଷ୍ଠ ନେତା ପୃଥ୍ବୀରାଜ ଚୌହାନ, ଶିବସେନା ନେତା ଏକନାଥ ସିନ୍ଧେ ଏବଂ ଏନ୍‌ସିପି ନେତା ଛଗନ ଭୁଜବଳ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଶିବସେନା ସହିତ ମେଣ୍ଟ କରି ସରକାର ଗଠନ କରି‌ବା ନେଇ କଂଗ୍ରେସରେ ମଧ୍ୟ ଦିନ ତମାମ ମନ୍ଥନ ଜାରି ରହିଥିଲା। ଶିବସେନା ତା’ର ଉଗ୍ର ହିନ୍ଦୁତ୍ବ ନୀତିରୁ ଓହରିବା ଜରୁରୀ ବୋଲି କଂଗ୍ରେସ କହିଛି। ଶିବସେନା କଠୋର ହିନ୍ଦୁତ୍ବ ବିଚାରଧାରାରୁ ଓହରି ଆସିଲେ ମେଣ୍ଟ ଆହୁରି ସୁଦୃଢ଼ ହେବ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ଏହା ସହିତ ଶିବସେନାର ଇସ୍ତାହାରକୁ ମଧ୍ୟ ଏବେ କଂଗ୍ରେସ ଦଳ ସମୀକ୍ଷା କରୁଛି।ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସହିତ ବିସ୍ତୃତ ଆଲୋଚନା କରିବା ପାଇଁ ୧୭ କିମ୍ବା ୧୮ ତାରିଖରେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ସୋନିଆଙ୍କ ସହିତ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମଧ୍ୟ ଫୋନ୍‌ରେ ଆଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର