ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶରଦ ପାୱାର-ଠାକରେଙ୍କୁ ଚକ୍‌ମା ଦେବାପରେ ବିଜେପି ସରକାର ଗଠନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଆଜି ମଧ୍ୟ ଜାରି ରହିଛି। ସୁପ୍ରିମ କୋର୍ଟ ଜରୁରିକାଳୀନ ଭିତ୍ତିରେ ମାମଲାର ଶୁଣାଣି କରିଥିଲେ ମଧ୍ୟ ଆଜି କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି। ଫଡନାଭିସଙ୍କ ନେତୃତ୍ବରେ ଗଠିତ ବିଜେପି ସରକାରର ଭାଗ୍ୟ କଣ ହେବ ତାହା ସର୍ବୋଚ୍ଚ ଅଦାଲତ ଆସନ୍ତାକାଲି (ମଙ୍ଗଳବାର) ନିର୍ଣ୍ଣୟ କରିବେ। ଫଡନାଭିସ ସରକାର ଏବେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ କି ନାହିଁ, ଯଦି ସମ୍ମୁଖୀନ ହେବେ ତାହାହେଲେ କେବେ? କାଲି ଦିନ ୧୦ଟା ୩୦ ମିନିଟରେ ସୁପ୍ରିମ କୋର୍ଟ ଏସଂପର୍କରେ ରାୟ ଶୁଣାଇବେ।

Advertisment

ବିନା ସଂଖ୍ୟାଗରିଷ୍ଠତାରେ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାରୁ ଏହାକୁ ବିରୋଧ କରି ଶିବସେନା-ଏନସିପି-କଂଗ୍ରେସ ସର୍ବୋଚ୍ଚ ଅଦାଲତକୁ ଯାଇଛନ୍ତି। ବିଧାନସଭାରେ ତୁରନ୍ତ ବହୁମତ ପରୀକ୍ଷା ପାଇଁ ଦାବି କରି ଏହି ୩ ଦଳ ଆବେଦନ କରିଛନ୍ତି। କୋର୍ଟର ତିନି ଜଣିଆ ଖଣ୍ଡପୀଠ ଆଜି ୮୦ ମିନିଟ୍ ଧରି ମାମଲାର ଶୁଣାଣି କରିବା ପରେ ରାୟ ଆସନ୍ତାକାଲି ଶୁଣାଇବେ ବୋଲି କହିଛନ୍ତି।

ମହାରାଷ୍ଟ୍ରରେ ପଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ‌ରାଜ୍ୟପାଳ ଯେଉଁ ପ୍ରକ୍ରିୟା ଗ୍ରହଣ କରିଥିଲେ ତାହା ଭୁଲ ଓ ଅସମ୍ବିଧାନିକ ବୋଲି ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ଯୁକ୍ତି କରାଯାଇଛି। ଫଡ଼ନାଭିସଙ୍କୁ ୨୪ ଘଣ୍ଟା ମଧ୍ୟରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେବା ଲାଗି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତରେ କୁହାଯାଇଥିଲା ଯେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ନିକଟରେ ଏନ୍‌ସିପିର ୫୪ ଜଣ ଯାକ ବିଧାୟକଙ୍କ ସମର୍ଥନ ରହିଛି। ଏହାକୁ ମିଶାଇ ୧୭୦ ଜଣଙ୍କର ସମର୍ଥନ ଥିବା କୁହାଯାଇଛି।

ଶିବସେନା ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଯୁକ୍ତି ବାଢ଼ିଥିଲେ ଯେ ଶିବସେନା-ଏନ୍‌ସିପି-କଂଗ୍ରେସ ନିକଟରେ ୧୫୪ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ବିଜେପି ନିକଟରେ ଯଦି ଆବଶ୍ୟକ ସଂଖ୍ୟା ରହିଛି ତାହେଲେ ତାକୁ ତୁରନ୍ତ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦିଆଯାଉ। ବିଚାରପତି ଏନ ଭି ରମନ୍ନା, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ କେନ୍ଦ୍ର ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ନଭେମ୍ବର ୨୩ ତାରିଖରେ ସର୍ବବୃହତ୍ ଦଳକୁ ସରକାର ଗଠନ ପାଇଁ ଡାକିବାର ସମ୍ପୂର୍ଣ୍ଣ ଅଧିକାର ରାଜ୍ୟପାଳଙ୍କର ରହିଛି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ସରକାର ଗଠନ ପାଇଁ କେଉଁ ଦଳ ନିକଟରେ ସଂଖ୍ୟା ରହିଛି ତାହାର ଅନୁସନ୍ଧାନ କରିବା କାର୍ଯ୍ୟ ରାଜ୍ୟପାଳଙ୍କର ନୁହେଁ। ତେବେ ୨୪ ଘଣ୍ଟା ମଧ୍ୟରେ ଗୃହରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବା ପାଇଁ ଗୋଟିଏ ଦଳ ସୁପ୍ରିମ କୋର୍ଟରେ ଆବେଦନ କରିବା ଉପରେ ସଲିସିଟର ଜେନେରାଲ ପ୍ରଶ୍ନ ଉଠାଇଥି‌ଲେ। ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟପାଳ ସବୁ ବିଷୟରେ ଅବଗତ ଥିଲେ। ଯାହା ଫଳରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ପଡ଼ିଥିଲା। ରାଜ୍ୟପାଳ ପଠାଇଥିବା ଚିଠିକୁ ସର୍ବୋଚ୍ଚ ଅଦାଲତ ପଢ଼ି ସାରିବା ପରେ ମୁଖ୍ୟମନ୍ତ୍ରୀ ଗୃହରେ ବହୁମତ ଯୋଗାଡ଼ କରିପାରିବେ କି ନାହିଁ ତାହା ଦେଖିବା କଥା ବୋଲି ଅଦାଲତ କହିଥିଲେ। ଏହାପରେ ସଲିସିଟର ଜେନେରାଲ କହିଥିଲେ ଯେ ରାଜ୍ୟପାଳ ଶିବସେନା, ବିଜେପି ଏବଂ ଏନ୍‌ସିପିକୁ ସରକାର ଗଠନ ପାଇଁ ଡାକିଥିଲେ। ସେମାନେ ସରକାର ଗଠନ କରିବାକୁ ବିଫଳ ହେବା ପରେ ଯାଇ ହିଁ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।

ଏନସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ୍ ପାୱାରଙ୍କ ପକ୍ଷରୁ ଆଇନଜୀବୀ ମନିନ୍ଦର ସିଂହ ଯୁକ୍ତି ଦର୍ଶାଇଥିଲେ ଯେ ସରକାର ଗଠନ ପାଇଁ ଫଡ଼ନାଭିସଙ୍କୁ ରାଜ୍ୟପାଳ ଡାକି ଠିକ୍ କରିଛନ୍ତି।

ସୋମବାର ସକାଳେ ଶୁଣାଣି ଆରମ୍ଭ ହେବା ପରେ ସଲିସିଟର ଜେନେରାଲ ଶ୍ରୀ ମେହେଟ୍ଟା ରାଜ୍ୟପାଳ ଏବଂ ଫଡ଼ନାଭିସଙ୍କ ଚିଠି ଖଣ୍ଡପୀଠ ନିକଟରେ ଦାଖଲ କରିଥିଲେ। ଏହି ଚିଠି ଦାଖଲ କରିବାକୁ ‌ରବିବାର ସୁପ୍ରିମ କୋର୍ଟ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।