ଶିବସେନା ଓ ଏନ୍‌ସିପି ମଧ୍ୟରେ ବିଭେଦ, ମହାରାଷ୍ଟ୍ର ମେଣ୍ଟରେ ଫାଟ

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ଶିବସେନା ଓ ଏନ୍‌ସିପି ମଧ୍ୟରେ ବିଭେଦ ଦେଖାଦେଇଥିବା ନେଇ ଖବର ପ୍ରସାରିତ ହୋଇଛି। କିନ୍ତୁ ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ସରକାରର ସ୍ଥିରତାକୁ ନେଇ ଚିନ୍ତା ପ୍ରକଟ କରିବାର କୌଣସି କାରଣ ନାହିଁ। ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ସ୍ଥିର ଅଛି। ମିଳିଥିବା ସୂଚନାନୁଯାୟୀ ମହାରାଷ୍ଟ୍ର ସରକାର ଯେଉଁ ଢଙ୍ଗରେ କୋଭିଡ୍‌ ମୁକାବିଲା କରୁଛନ୍ତି ପାୱାର ସେଥିରେ ଖୁସି ନାହାନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟରେ ଆର୍ଥିକ କାର୍ଯ୍ୟକ୍ରମ ଆରମ୍ଭ କରିବା ନେଇ ଏନ୍‌ସିପି ମୁଖ୍ୟଙ୍କ ଆଭିମୁଖ୍ୟରେ ଆଦୌ ଖୁସି ନାହାନ୍ତି ବୋଲି କୁହାଯାଉଛି। କିନ୍ତୁ ମହାରାଷ୍ଟ୍ର ସରକାରରେ ବିବାଦ ବଢ଼ିଥିବା ସଂକ୍ରାନ୍ତରେ ଯେଉଁ ଦ୍ବନ୍ଦ୍ବ ବଢ଼ିଛି ସେହି ଦ୍ବନ୍ଦ୍ବ ହଟାଇବାପାଇଁ ରାଉତ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ଶରଦ ପାୱାର ଗତକାଲି ପ୍ରାୟ ‌ଦେଢ଼ ଘଣ୍ଟା ଧରି ବୈଠକ କରିଥିଲେ। ମହାରାଷ୍ଟ୍ର ସରକାରର ସ୍ଥିରତା ନେଇ କିଛି ଲୋକ ଭୁଲ୍‌ ଖବର ପ୍ରସାର କରୁଛନ୍ତି ବୋଲି ‌ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଏନେଇ ମହାରାଷ୍ଟ୍ର ସରକାରକୁ ବିଜେପି କଡ଼ା ସମାଲୋଚନା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ଗତ ସପ୍ତାହରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ବିଜେପି ନେତା ନାରାୟଣ ରାଣେ ମଧ୍ୟ ଗତକାଲି ରାଜ୍ୟପାଳଙ୍କୁ ଭେଟିଥିଲେ ଏବଂ ମହାରାଷ୍ଟ୍ର ସରକାର କରୋନା ନିୟନ୍ତ୍ରର କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର