ମହାରାଷ୍ଟ୍ର ରାଜନୀତିରେ ମହାନାଟକ : ଝୁଲାଇ ରଖିଲା କଂଗ୍ରେସ

ଶିବସେନାକୁ ଅଧିକ ସମୟ ଦେଲେନି ରାଜ୍ୟପାଳ, ସରକାର ଗଠନ ପାଇଁ ଏନ୍‌ସିପିକୁ ଡାକିଲେ

ନୂଆଦିଲ୍ଲୀ/ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ବାଟ ଆଜି ବି ଫିଟି ପାରିନାହିଁ। ନିର୍ବାଚନ ଫଳାଫଳ ଘୋଷଣାକୁ ୧୮ ଦିନ ପୂରି ଯାଇଥିଲେ ମଧ୍ୟ ରାଜ୍ୟରେ କିଏ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇନାହିଁ। ସରକାର ଗଠନ ପାଇଁ ବିଜେପି ଅସମର୍ଥତା ପ୍ରକାଶ କରିବା ପରେ ଶିବ ସେନାକୁ ସୁଯୋଗ ଦେଇଥିଲେ ରାଜ୍ୟପାଳ। ତେବେ ଏଥିପାଇଁ ଆଉ ଦୁଇ ଦିନ ସମୟ ଦେବାଲାଗି ଶିବ ସେନାର ଅନୁରୋଧକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଅନ୍ୟପକ୍ଷରେ ସରକାର ଗଠନ ପାଇଁ ଏନସିପିକୁ ଆମନ୍ତ୍ରଣ କରିବା ସହିତ ୨୪ ଘଣ୍ଟାର ସମୟ ଦେଇଛନ୍ତି ରାଜ୍ୟପାଳ।

ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଥିବା ବେ‌େଳ ଏବେ ସମସ୍ତଙ୍କର ନଜର କଂଗ୍ରେସ ଉପରେ ରହିଛି। ୪ ପ୍ରମୁଖ ଦଳ ମଧ୍ୟରୁ ସବୁଠାରୁ କମ୍ ଆସନ (୪୪) ପାଇଥିବା କଂଗ୍ରେସ କିଙ୍ଗ ମେକର ହୋଇଛି।

ଶିବ ସେନା-ଏନ୍‌ସିପି ମେଣ୍ଟ ସରକାର ଗଠନ ପାଇଁ କଂଗ୍ରେସର ସମର୍ଥନ ଆବଶ୍ୟକ। ଏଥିପାଇଁ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଫୋନ କରିଥିଲେ। ମାତ୍ର କଂଗ୍ରେସ କୌଣସି ନିଷ୍ପତ୍ତି ନେଇପାରୁ ନାହିଁ।

କଂଗ୍ରେସ କାର୍ଯ୍ୟକାରୀ କମିଟି ବା ସିଡବ୍ଲ୍ୟୁସିର ବୈଠକ ଆଜି ୨ ଥର ବସିଥିଲା। ଜୟପୁରରେ ଏକ ହୋଟେଲରେ ଥିବା ବିଧାୟକମାନଙ୍କ ସହିତ ସୋନିଆ ଟେଲିଫୋନ ଯୋଗେ କଥା ମଧ୍ୟ ହୋଇଥିଲେ। ସୋନିଆଙ୍କ ସହିତ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ବି କଥା ହୋଇଥିଲେ। ମୁମ୍ବାଇର ଏକ ହୋଟେଲରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହିତ ଉଦ୍ଧବ ଠାକରେଙ୍କର ଆଲୋଚନା ହୋଇଥିଲା। ପ୍ରଥମେ ସରକାର ଗଠନ ପାଇଁ ଶିବସେନାକୁ କଂଗ୍ରେସ ‌ସମର୍ଥନ ଦେବ ବୋଲି ଆଭାସ ଦେଇଥିଲେ ମଧ୍ୟ ପର ମୁହୂର୍ତ୍ତରେ ଏହାକୁ ଝୁଲାଇ ରଖିଛି। ସିଡବ୍ଲୁସି ବୈଠକ ଶେଷରେ କଂଗ୍ରେସ ପକ୍ଷରୁ କୁହାଯାଇଛି ସହଯୋଗୀ ଦଳ ଏନସିପି ସହିତ ଏହି ପ୍ରସଙ୍ଗରେ ଆଉ ଥରେ ଆଲୋଚନା‌ ହେବ। ଏଆଇସିସିର ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତ ଥାଇ ଏହି ପ୍ରେସ ବିବୃତି ଦଳ ପକ୍ଷରୁ ଜାରି କରାଯାଇଛି।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଆଜି ସନ୍ଧ୍ୟାରେ ଶିବ ସେନା ନେତା ଆଦିତ୍ୟ ଠାକ୍‌ରେ, ଏକନାଥ ସିନ୍ଦେ ଓ ଅନ୍ୟମାନେ ଭେଟିଥିଲେ। ସରକାର ଗଠନ ପାଇଁ କଂଗ୍ରେସ ଓ ଏନସିପି ଠାରୁ ସମର୍ଥନ ପତ୍ର ଏପର୍ଯ୍ୟନ୍ତ ମିଳି ନଥିବାରୁ ଆଉ ୪୮ ଘଣ୍ଟା ସମୟ ଦେବାକୁ ଶିବ ସେନା ରାଜ୍ୟପାଳଙ୍କୁ କହିଥିଲା। କିନ୍ତୁ ରାଜ୍ୟପାଳ ସମୟ ଦେବାକୁ ମନା କରିଦେଇଛନ୍ତି। ସରକାର ଗଠନ ପାଇଁ ଆମେ କରିଥିବା ଦାବିକୁ ରାଜ୍ୟପାଳ ପ୍ରତ୍ୟାଖାନ କରିନାହାନ୍ତି। କିନ୍ତୁ ଅଧିକ ସମୟ ଦେବାକୁ ମନା କରିଦେଇଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ଆମେ ଉଦ୍ୟମ ଅବ୍ୟାହତ ରଖିବୁ ବୋଲି ଶିବସେନା ପକ୍ଷରୁ କୁହାଯାଇଛି।

ଶିବସେନାକୁ ଅଧିକ ସମୟ ଦେବାକୁ ମନା କରିଦେବା ପରେ ରାଜ୍ୟପାଳ ତୃ୍ତୀୟ ବୃହତ ଦଳ ଏନସିପିକୁ ରାତି ସାଢ଼େ ଆଠଟା ବେଳେ ଡାକିଛନ୍ତି। ରାଜ୍ୟପାଳଙ୍କ ଡାକରା ପାଇଁ ଏନସିପି ନେତା ଅଜିତ ପାୱାର, ଛଗନ ଭୁଜବଳ ଏବଂ ଜୟନ୍ତ ପାଟିଲ ପ୍ରମୁଖ ରାଜଭବନକୁ ଯାଇଥିଲେ।

ଶିବ‌ସେନାକୁ ଏନସିପି ଏବଂ କଂଗ୍ରେସ ସମର୍ଥନ ଦେବାକୁ ଯାଉଥିବା କାରଣରୁ ମୋଦୀ ସରକାରରେ ମନ୍ତ୍ରୀ‌ ହୋଇଥିବା ଶିବ ସେନାର ଏକମାତ୍ର ସାଂସଦ ଅରବିନ୍ଦ ସାୱନ୍ତ ଆଜି ଇସ୍ତଫା ଦେଇଛନ୍ତି। ସେ କେନ୍ଦ୍ର ସରକାରଙ୍କ ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିଲେ। ଏନସିପି ମୁଖ୍ୟ ଶରଦ ପାୱାର ଶିବ ସେନାକୁ ସମର୍ଥନ ଦେବାପାଇଁ ଏଭଳି ସର୍ତ ରଖିଥିଲେ।

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଗତ ମାସ ୨୪ ତାରିଖରେ ଘୋଷଣା ହୋଇଥିଲା। ଏଥିରେ ‌ବିଜେପିକୁ ୧୦୫ଟି ଆସନ ମିଳିଥିବା ବେଳେ ଶିବ ସେନାକୁ ୫୬, ଏନସିପିକୁ ୫୪ ଏବଂ କଂଗ୍ରେସକୁ ୪୪ଟି ଆସନ ମିଳିଥିଲା। ତେବେ ୫୦:୫୦ ଫର୍ମୁଲାରେ ଶିବ ସେନା ମୁଖ୍ୟମନ୍ତ୍ରୀ ଆସନରେ ଅଢ଼େଇ ବର୍ଷ ବସିବା ପାଇଁ ଜିଦ୍ ଧରିବାରୁ ବିଜେପି ଏଥିରେ ରାଜି ହୋଇ ନଥିଲା। ତେଣୁ ବିଜେପି ଏବଂ ଏନସିପି ମେଣ୍ଟ ସରକାର ଗଠନ କରିବାରେ ବିଫଳ ହୋଇଥିଲେ। ବିଜେପିକୁ ରାଜ୍ୟପାଳ ସରକାର ଗଠନ ପାଇଁ ଡାକିଥିଲେ ମଧ୍ୟ ଏହି ଦଳ ଆବଶ୍ୟକ ସଂଖ୍ୟା ନଥିବା ଦର୍ଶାଇ ସରକାର ଗଠନ କରି ପାରିବ ନାହିଁ ବୋଲି କହିଥିଲା। ଏହାପରେ ରାଜ୍ୟପାଳ ଦ୍ବିତୀୟ ବୃହତ୍ ଦଳ ଏନସିପିକୁ ସରକାର ଗଠନ ପାଇଁ ୨୪ ଘଣ୍ଟା ସମୟ ଦେଇଥିଲେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି।

ସମ୍ବନ୍ଧିତ ଖବର