ନୂଆଦିଲ୍ଲୀ: ମହାରାଷ୍ଟ୍ରର ପ୍ରମୁଖ ରାଜନୈତିକ ଦଳ ଶିବସେନାର ନିୟନ୍ତ୍ରଣକୁ ନେଇ ଏବେ ସୁପ୍ରିମ୍ କୋର୍ଟରେ ଲଢ଼େଇ ଚାଲିଛି। ଠାକ୍ରେ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ ସଂକ୍ରାନ୍ତ ବିଭିନ୍ନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା। ଉଭୟ ଠାକରେ ଏବଂ ସିନ୍ଦେ ଗୋଷ୍ଠୀର ବରିଷ୍ଠ ଓକିଲଙ୍କ ପକ୍ଷ ଶୁଣିବାପରେ କୋର୍ଟ ଆସନ୍ତାକାଲି ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଏକନାଥ ସିନ୍ଦେ ଗୋଷ୍ଠୀର ବରିଷ୍ଠ ଓକିଲ ହରିଶ ସାଲ୍ଭେଙ୍କୁ ଲିଖିତ ଉପସ୍ଥାପନା ପୁନଃ ପ୍ରସ୍ତୁତ କରିବାପାଇଁ କୋର୍ଟ କହିଛନ୍ତି। ଲିଖିତ ଉପସ୍ଥାପନାରେ ଅଧିକ ସ୍ପଷ୍ଟତା ରଖିବାପାଇଁ କୋର୍ଟ ଏହା କହିଛନ୍ତି। ପ୍ରଧାନ ବିଚାରପତି ଏନ୍ଭି ରମଣା, ଜଷ୍ଟିସ କ୍ରୀଷ୍ଣା ମୁରାରି ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଆଜି ଠାକରେ ଏବଂ ସିନ୍ଦେ ଗୋଷ୍ଠୀର ଆବେଦନର ଶୁଣାଣି କରିଥିଲେ।
ଠାକ୍ରେ ଏବଂ ସିନ୍ଦେ ଗୋଷ୍ଠୀର ବିଭିନ୍ନ ଆବେଦନ ଉପରେ ଆଜି କୋର୍ଟ ଶୁଣାଣି କରିଛନ୍ତି। ଉଭୟ ଠାକରେ ଏବଂ ସିନ୍ଦେ ପକ୍ଷ ନିଜର ଯୁକ୍ତି ଉପସ୍ଥାପନା କରିଥିଲେ। ମହାରାଷ୍ଟ୍ର ରାଜ୍ୟପାଳ ମଧ୍ୟ ପକ୍ଷ ରଖିଥିଲେ। କିନ୍ତୁ ଆଜିର ଶୁଣାଣିରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଆସନ୍ତାକାଲି ଏହି ମାମଲାରେ ପୁଣି ଶୁଣାଣି ହେବ। ସୁପ୍ରିମ୍ କୋର୍ଟ ରାୟ ଉପରେ ସିନ୍ଦେ ସରକାରର ଭାଗ୍ୟ ନିର୍ଭର କରୁଥିବାରୁ ଏହାକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଉତ୍କଣ୍ଠା ବଢ଼ିଯାଇଛି।